ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଛାଡି ଅନେକ ନେତା ବିଜେପି ମୁହାଁ!
ଭୁବନେଶ୍ୱର,୨୭|୪ : ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ | ବିଭିନ୍ନ ଦଳ ଭିତରେ ହେବ ଜୋରଦାର ଟକ୍କର | ଆସନ ହାତେଇବାକୁ ଦଳ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ କରିବ ସ୍ୱତନ୍ତ୍ର ରଣନୀତି | ଶାସକ ଦଳ ଏବଂ ବିରୋଧୀ ଦଳ ଭିତରେ ହେବ ଛକାପଞ୍ଝା | କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ଏବଂ ୨୦୨୬ ରାଜ୍ୟସଭା ନିର୍ବାଚନ ପରେ ବିଜେଡି ପାଇଁ ଏହି ପଞ୍ଚାୟତ ନିର୍ବାଚନ ଏକ ବଡ ଚ୍ୟାଲେଞ୍ଜ ହେବ | କାରଣ ଗତ ୨୦୨୪ ସାଧାରଣ ନିର୍ବାଚନ ପରଠାରୁ ବିଜେଡିର ଅନେକ ନେତା ବିଜେପି ଦଳରେ ସାମିଲ ହୋଇଛନ୍ତି । ରାଜ୍ୟ ସ୍ତରରେ ହେଉ ଅବା ଜିଲ୍ଲାସ୍ତରରେ ଅନେକ କର୍ମୀ ଏବେ ବିଜେପି ମୁହାଁ ହୋଇଛନ୍ତି | ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭ କରି ରାଜ୍ୟସଭା ସାଂସଦ ପର୍ଯ୍ୟନ୍ତ ସମସ୍ତେ ବିଜେପି ଆଡକୁ ଅଗ୍ରସର ହେବାରେ ଲାଗିଛନ୍ତି । କିଛି ଦିନ ପୂର୍ବରୁ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଭଳି ନେତା ବିଜେଡି ଛାଡ଼ିବା ଚର୍ଚ୍ଚାର ବିଷୟ ଥିଲା ।
ଆଉ ଏବେ ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭ କରି ରାଜ୍ୟସଭା ସାଂସଦ ପର୍ଯ୍ୟନ୍ତ ସମସ୍ତେ ବିଜେପି ମୁହାଁ ହୋଇଛନ୍ତି । ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସୁଜିତ କୁମାର ପୁଣି ଥରେ ରାଜ୍ୟସଭା ସାଂସଦ ହୋଇଛନ୍ତି । ଗୋଟିଏ ପଟେ ନେତାଙ୍କ ଅନ୍ୟ ଦଳରେ ଯାଇ ମିଶୁଥିବା ଦଳ ପାଇଁ ସମସ୍ୟା ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ , ବିଜେଡିରୁ ବହୁ ନେତା ଦଳ ଛାଡ଼ିବା ପ୍ରସଙ୍ଗରେ ବିଜେଡିର ପୂର୍ବତନ ବିଧାୟକ ସୁଧୀର ସାମଲ କହିଛନ୍ତି, ଦଳବଦଳ କଲେ ସଂଗଠନ ଦୁର୍ବଳ ହେବାର ନାହିଁ । ଲୋକେ ଯେବେ କୌଣସି ପାର୍ଟିରେ ମିଶନ୍ତି, ନିଜସ୍ୱ ଏଜେଣ୍ଡାକୁ ନେଇ ଦଳ ପରିବର୍ତ୍ତନ କରନ୍ତି । ବର୍ତ୍ତମାନ ଆମ ଦଳ ଯେହେତୁ କ୍ଷମତାରେ ନାହିଁ । ତେଣୁ ବିରୋଧୀ ଭୂମିକାରେ ନେତାଙ୍କୁ କିଛି ଲାଭ ମିଳେନାହିଁ । ଯାହାକୁ ଲାଭ ମିଳୁନି, ସେ ଦଳ ଛାଡ଼ୁଛନ୍ତି । ୨୫ ବର୍ଷ ଧରି ଲୋକେ ଜଣେ ନେତାଙ୍କୁ ଭରସା କରି ଭୋଟ୍ ଦେଇ ଆସୁଥିଲେ । ଏବେ କେମିତି ନେତୃତ୍ୱ ସଙ୍କଟ କହି ନେତା ଦଳ ଛାଡ଼ୁଛନ୍ତି ବୋଲି ଶ୍ରୀ ସାମଲ ଦଳ ଛାଡି ଯାଇ ଅନ୍ୟଦଳରେ ସାମିଲ ହୋଇଥିବା ନେତାଙ୍କୁ ପ୍ରଶ୍ନ କରିଛନ୍ତି । ବିଜେଡି କ୍ଷମତାରେ ଥିଲାବେଳେ ବିରୋଧୀ ଦଳରୁ ଶହ ଶହ ନେତା ବିଜେଡିରେ ମିଶୁଥିଲେ । ଏବେ ବିଜେପି କ୍ଷମତାରେ ଅଛି, ଶହ ଶହ ନେତା ମିଶିବେ । ଏଥିରେ କୌଣସି ଆଶର୍ଯ୍ୟକର କଥା ନାହିଁ । ଯେଉଁଠି ଯାହାର ସ୍ୱାର୍ଥ ଥାଏ ସେ ଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ତେବେ ରାଜ୍ୟସଭା ନିର୍ବାଚନ ପରଠୁ ବିଜେଡି ଏବଂ କଂଗ୍ରେସର ପରସ୍ପରକୁ ସମର୍ଥନ କରି ଆସୁଛନ୍ତି | ଆଉ ଏହାକୁ ନେଇ ବହୁ ଦଳୀୟ ନେତା ବିରୋଧ କରିବା ଆରମ୍ଭ କରିଛନ୍ତି ।
ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏହି ପ୍ରସଙ୍ଗରେ ଦଳ ବିରୋଧରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି କଂଗ୍ରେସରୁ ନିଲମ୍ବିତ ହୋଇଥିବା କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଓ ମୋହନା ବିଧାୟିକ ଦାଶରଥି ଗମାଙ୍ଗ ମଧ୍ୟ ବିଜେଡି ସହ କଂଗ୍ରେସ ମିଶିବାକୁ ନା ପସନ୍ଦ କରିଥିଲେ । ନିକଟରେ କଂଗ୍ରେସର ପ୍ରାଥମିକ ସଦସ୍ୟତା ଛାଡ଼ିଥିବା ଅମୀୟ ପାଣ୍ଡବ ମଧ୍ୟ ଦର୍ଶାଇଥିବା ତିନି କାରଣରୁ ବିଜେଡି ସହ କଂଗ୍ରେସ ମିଶିବାକୁ ନା ପସନ୍ଦ କରି ଦଳ ଛାଡ଼ିଥିବା କହିଛନ୍ତି । ତାଙ୍କ କହିବାନୁସାରେ, ରାଜ୍ୟରେ କଂଗ୍ରେସର ବହୁ ନେତା ଯାଇ ପୂର୍ବରୁ ବିଜେଡିରେ ମିଶିଛନ୍ତି । ବିଜେଡି ହିଁ ରାଜ୍ୟରେ କଂଗ୍ରେସକୁ ଦୁର୍ବଳ କରିଛି । ଆଉ ୨୦୨୪ ନର୍ବାଚନ ପରେ ଏବେ ବିଜେଡି ଦୁର୍ବଳ ହେବାରେ ଲାଗିଛି | ଆଉ ଦୁର୍ବଳ ହେଉଥିବା ଦଳ ସାଙ୍ଗରେ କଂଗ୍ରେସ କାହିଁକି ମିଶିବ ବୋଲି ଶ୍ରୀ ପାଣ୍ଡବ ଯୁକ୍ତି ବାଢ଼ି ଦଳ ଛାଡ଼ିଛନ୍ତି ।

