Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଟିଏ ଦିନରେ AAPକୁ ୨ଟି ଝଟକା ଦେଲା କଂଗ୍ରେସ, ଏବେ କ’ଣ କରିବେ କେଜରିଓ୍ଵାଲ ?

ନୂଆଦିଲ୍ଲୀ: ଅରବିନ୍ଦ କେଜରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟିକୁ କଂଗ୍ରେସ ଗୋଟିଏ ଦିନରେ ଦୁଇଟି ଝଟକା ଦେଇଛି। ଦିଲ୍ଲୀରେ ପ୍ରଶାସନ ପରିଚାଳନକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ କଂଗ୍ରେସ ଆପକୁ ସମର୍ଥନ ଦେବାକୁ ମନା କରି ଦେଇଛି। କେବଳ ଏତିକି ନୁହେଁ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଦଳ ଆପ୍ ସହିତ ମେଣ୍ଟ କରିବ ନାହିଁ ବୋଲି ଦଳ ସ୍ପଷ୍ଟ କରି ଦେଇଛି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ସହ ବୈଠକ ପରେ ନବଜୋତ ସିଂ ସିଦ୍ଧୁ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ସମ୍ଭାବନାକୁ ଏଡାଇ ଦେଇଛନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ରହି ସାରିଥିବା ସିଦ୍ଧୁ କହିଛନ୍ତି, ଯଦି ଆମର ବିଚାରଧାରାରେ ମତଭେଦ ରହିଛି ତେବେ ମେଣ୍ଟ ହୋଇ ପାରିବ ନାହିଁ।

କଂଗ୍ରେସ ଆପଠୁ ଦୂରେଇ ରହିବାର ସଙ୍କେତ କର୍ଣ୍ଣାଟକ ନିର୍ବାଚନ ପରେ ବି ଦେଇଥିଲା ଯେତେବେଳେ ସିଦ୍ଦରମୈୟାଙ୍କ ଶପଥ ଗ୍ରହଣରେ ପାର୍ଟି ଅରବିନ୍ଦ କେଜରିଓ୍ଵାଲଙ୍କ ଦଳକୁ ନିମନ୍ତ୍ରଣ କରିନଥିଲା। ଏହା ପୂର୍ବରୁ ମଧ୍ୟ ବିରୋଧୀ ଏକତାକୁ ନେଇ କଂଗ୍ରେସ ଡକାଇଥିବା ବୈଠକରେ କେଜରିଓ୍ଵାଲଙ୍କ ପାର୍ଟିକୁ ଦୂରରେ ରଖାଯାଇଥିଲା। କଂଗ୍ରେସ ସମର୍ଥନ ଦେବାକୁ ମନା କରିବା ପରେ ଏବେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ କେଜରିଓ୍ଵାଲଙ୍କ ଅଭିଯାନକୁ ବଡ଼ ଝଟକା ଲାଗିଛି।

କଂଗ୍ରେସ ଆପଠୁ ଦୂରରେ ରହିବାର କାରଣ କେଜରିଓ୍ଵାଲଙ୍କ ପାର୍ଟି ଗୁଜରାଟ, ଗୋଆ ପରି ରାଜ୍ୟରେ କଂଗ୍ରେସକୁ କ୍ଷତି ପହଞ୍ଚାଇଥିଲା। ଯେଉଁଠି କଂଗ୍ରେସ ଏବଂ ବିଜେପି ମୁହାଁମୁହିଁ ମୁକାବିଲା ହୋଇଛି ସେଠାରେ କେଜରିଓ୍ଵାଲଙ୍କ ଦଳ କଂଗ୍ରେସର ଭୋଟ୍ ବିଭାଜନ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲା। କଂଗ୍ରେସକୁ ଲାଗୁଛି ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଦେଲେ ସେହି ରାଜ୍ୟଗୁଡ଼ିକରେ ମହଙ୍ଗା ପଡ଼ିପାରେ ଯେଉଁଠି ଦୁଇ ଦଳ ପରସ୍ପର ବିରୋଧରେ ରହିଛନ୍ତି। ଏହି କାରଣରୁ କଂଗ୍ରେସ ରାଜ୍ୟଗୁଡ଼ିକରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ଆପଠୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସର ରୋକ ଠୋକ୍ ପରେ କେଜରିଓ୍ଵାଲଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ ଏବେ ତାହା ଦେଖିବା ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ