ଟଙ୍କା ଉଠାଇବାକୁ ବ୍ୟାଙ୍କ କର୍ମଚାରୀ ମାଗିଲେ ପ୍ରମାଣ; ଶେଷରେ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଁଚିଲେ ସାନ ଭାଇ
ପାଟଣା, ୨୮| ୪: ବ୍ୟାଙ୍କ ଖାତାରେ ଜମା ଥିବା ଟଙ୍କା ଉଠାଇବାକୁ ପ୍ରମାଣର ଆବଶ୍ୟକତା ପଡିବାରୁ ଶେଷରେ ବ୍ୟାଙ୍କରେ ପହଞ୍ଚିଲା ଶବ | ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ବ୍ୟାଙ୍କ ପରିଚାଳକ ମୃତ ଜମାକାରୀଙ୍କ ପ୍ରମାଣ ମାଗିବାରୁ ସାନ ଭାଇ ମୃତ୍ୟୁ ପ୍ରମାଣପତ୍ର ବଦଳରେ ବଡ଼ ଭଉଣୀର କଙ୍କାଳକୁ କବରରୁ କାଢ଼ି ସିଧା ବ୍ୟାଙ୍କରେ ପହଞ୍ଚିଥିଲା ସାନଭାଇ । ବ୍ୟାଙ୍କ କର୍ମଚାରୀ ମୃତ ବଡ଼ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାରେ ଥିବା ଟଙ୍କା ଉଠାଇବାକୁ ସାନ ଭାଇକୁ ପ୍ରମାଣ ମାଗିଲେ । ଏହାପରେ ବଡ଼ ଭଉଣୀର କଙ୍କାଳ ବ୍ୟାଙ୍କ ଅଧିକାରୀଙ୍କୁ ଦେଖାଇ ଆକାଉଣ୍ଟରେ ଥିବା ଟଙ୍କା ଦେବାକୁ ସାନଭାଇ ଦାବି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମରେ | ଉକ୍ତ ଗ୍ରାମର ନିବାସୀ ଜିତୁ ମୁଣ୍ଡା (୫୦)ଙ୍କର ବଡ଼ ଭଉଣୀ କାଲରା ମୁଣ୍ଡା (୫୬)ଙ୍କର ଗତ ଜାନୁଆରୀ ୨୬ ତାରିଖରେ ପେଟ ଜନିତ ରୋଗ କାରଣରୁ ମୃତ୍ୟୁ ହୋଇଥିଲା । ତାଙ୍କ ନାମରେ ୨୦ ହଜାର ଟଙ୍କା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ରହିଥିଲା। ଆଉ ଏହି ଟଙ୍କା ଉଠାଇବା ପାଇଁ ସାନ ଭାଇ ଜିତୁ ବାରମ୍ବାର ବ୍ୟାଙ୍କକୁ ଦଉଡ଼ି ହତାସ ହୋଇଥିଲେ। ଶେଷରେ ବ୍ୟାଙ୍କ କର୍ମଚାରୀ ଭଉଣୀକୁ ନେଇକରି ଆସିଲେ ଟଙ୍କା ଦେବି ବୋଲି କହିଥିଲେ | ଏହାପରେ ଗତକାଲି ଜିତୁ ମୁଣ୍ଡା ବଡ ଭଉଣୀର କଙ୍କାଳକୁ କବରରୁ ଭିତରୁ ବାହାର କରି ଏକ ବସ୍ତାରେ ପୂରାଇ ବ୍ୟାଙ୍କକୁ ଆଣିଥିଲେ।
ସୂଚନା ଅନୁସାରେ, ବ୍ୟାଙ୍କ ପିଣ୍ଡାରେ କଙ୍କାଳ ରଖି ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଶାଖା ପରିଚାଳକଙ୍କୁ କହିଥିଲେ। ଏହି ଘଟଣା ପ୍ରସାରିତ ହେବା ପରେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସଆଇ ଗୌରହରି ଗରଡ଼ିଆ ମଲ୍ଲିପଶିରେ ପହଞ୍ଚି ଘଟଣାର ପ୍ରକୃତ କାରଣ ବିଷୟରେ ଯାଞ୍ଚ ଆରମ୍ଭ କରିଥିଲେ । ତେବେ ଯାଞ୍ଚରୁ ଜଣାପଡିଛିଯେ, ମୃତ ଭଉଣୀର ଜମା ଖାତାର ନୋମିନି କିଏ ଓ ଟଙ୍କା ଉଠାଇବାର ନିୟମ ନ ଜଣାଇ ଭଉଣୀକୁ ଆଣ ଟଙ୍କା ଦେବି କହି ଶାଖା ପରିଚାଳକ କହିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ବ୍ୟାଙ୍କ ପିଣ୍ଡାରେ ଥିବା କଙ୍କାଳକୁ ମୂଳ କବର ସ୍ଥାନକୁ ନେଇ ପୋତିଥିବା ସୂଚନାରୁ ଜଣାପଡିଛି ।

