Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ ସୁଧୁରିବ ଓଡିଶାର ଅବସ୍ଥା? ଫନସ୍ ପୁଞ୍ଜି, ଦାନ ମାଝୀଠୁ ଜିତୁ ମୁଣ୍ଡା. ସବିଶେଷରେ ଜାଣନ୍ତୁ ଏହି ତିନୋଟି ଘଟଣା ବିଷୟରେ…

ଭୁବନେଶ୍ୱର, ୨୯ |୪: ଗତକାଲି ଏକ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି | ଯାହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି | ବ୍ୟାଙ୍କରୁ ଜମା ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା ରାଜ୍ୟଠୁ ଦେଶ ପର୍ଯ୍ୟନ୍ତ ଜୋର ଧରିବା ସହିତ ପୂର୍ବରୁ ଏଭଳି ଘଟିଥିବା ଫନସ୍ ପୁଞ୍ଜି ଏବଂ ଦାନ ମାଝୀର ଘଟଣାର ପୁନରାବୃତ୍ତି କରିଛି |

ଦୀର୍ଘ ୧୯୮୫ ମସିହାରେ ଏଭଳି ଏକ ମହିଳାଙ୍କୁ ନେଇ ରାଜ୍ୟ ସ୍ତରରୁ ଜାତୀୟ ଏବଂ ପରେ ବିଶ୍ୱ ସ୍ତର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଥିଲା | ସେ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଅମଲାପାଲ୍ଲୀ ଗାଁର ଫନସ୍ ପୁଞ୍ଜି | ତାଙ୍କର ଦୁଇ ଛୁଆ ଥିଲେ | ବହୁତ ଦାରିଦ୍ର୍ୟ ଅଭାବରେ କାଟୁଥିଲେ ଜୀବନ | ଓଳିଏ ଖାଇଲେ ଦୁଇ ଓଳି ଉପାସ ରହିବାକୁ ପଡୁଥିଲା | ଦୁଇ ଛୁଆଙ୍କ ଜୀବନ ବଞ୍ଚାଇବାକୁ ଶେଷରେ ଅସହାୟ ହୋଇ ଫନସ୍ ପୁଞ୍ଜି ୧୨ ବର୍ଷର ନଣନ୍ଦକୁ ୪୦ ଟଙ୍କାରେ ବିକ୍ରି କରି ଦେଇଥିଲେ | ଏହି ଘଟଣା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖବର କାଗଜ ମାନଙ୍କରେ ପ୍ରକାଶ ପାଇଥିଲା | ଏହି ଖବର ପ୍ରକାଶିତ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓଡ଼ିଶାରେ ତୁରନ୍ତ ଆସି ପହଞ୍ଚିଥିଲେ | ଦାରିଦ୍ର୍ୟରେ ସମୟ କାଟୁଥିବା ଫନସ୍ କୁ ଦେଖା କରିବା ସହିତ କଳାହାଣ୍ଡିରୁ ଦାରିଦ୍ର୍ୟକୁ ସବୁଦିନ ଶେଷ କରିବା ପାଇଁ ଆରମ୍ଭ କରିଥିଲେ K.B.K ଯୋଜନା | କିନ୍ତୁ ଏଥିରେ ଦାରିଦ୍ର୍ୟର ଚିହ୍ନ ଲିଭି ନଥିଲା | ଫନସ୍ ପୁଞ୍ଜିଙ୍କ ଭଳି ଏକ ଘଟଣାର ପୁଣି ଥରେ ପୁନରାବୃତ୍ତି ହେଲା | ଯାହା ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା |

୨୪ ଅଗଷ୍ଟ ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ମେଲଘାର ଗାଁର ଦାନ ମାଝୀଙ୍କ ଘଟଣା ରାଜ୍ୟଠୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସମସ୍ତ ଖବର କାଗଜ ମାନଙ୍କର ଶିରୋନାମା ପାଲଟିଥିଲା | ପ୍ରାଥମିକ ହସ୍ପିଟାଲରେ ଆମ୍ବୁଲାନ୍ସ ର ଅଭାବରୁ ଦାନ ମାଝୀ ନିଜ ସ୍ତ୍ରୀର ଶବକୁ ବୋହି ୧୦ କିଲୋ ମିଟର ପର୍ଯ୍ୟନ୍ତ ଖାଲି ପାଦରେ ଚାଲି ଚାଲି ଯାଇଥିବା ଘଟଣା ଓଡ଼ିଶାର ଦାରିଦ୍ର୍ୟ ଏବଂ ବିକାଶର ଅସଲି ଚିତ୍ରକୁ ପଦାରେ ପକାଇଥିଲା |

ଏବେ ସେଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମରେ | ଯାହା ପୁଣି ଏକ ଦାନ ମାଝି କିମ୍ବା ଫନସ୍ ପୁଞ୍ଜିଙ୍କ ଘଟଣାକୁ ଦୋହରାଇଛି | ସୂଚନା ଅନୁସାରେ ୫୦ବର୍ଷୀୟ ବୟସ୍କ ଜିତୁ ମୁଣ୍ଡା ନିଜର ୪ ଭାଇଭଉଣୀଙ୍କୁ ନେଇ ପାଟଣା ବ୍ଲକ୍‌ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ରୁହନ୍ତି । ବଡ଼ଭାଇ ରଇବୁ ମୁଣ୍ଡା ଓ ସାନ ଭାଇ ଶଙ୍କରା ମୁଣ୍ଡାଙ୍କ ବିବାହ ହୋଇ ସାରିଛି | ଜିତୁ ଓ ବଡ଼ ଭଉଣୀ କାଲରା ଅବିବାହିତ ଥିଲେ। ଦୁଇ ବର୍ଷ ପୂର୍ବରୁ ବଳଦ ବିକ୍ରି କରି ବଡ଼ ଭାଇ ରଇବୁ ଭଉଣୀ କାଲରାଙ୍କ ନାଁରେ ମଲ୍ଲୀପଶି ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ୍‌ରେ ୧୯,୩୦୦ ଟଙ୍କା ଜମା କରିଥିଲେ । ନୋମିନୀ ଭାବେ ବଡ଼ଭାଇଙ୍କ ନାଁ ରହିଛି । ଦେଢ଼ ବର୍ଷ ପୂର୍ବରୁ ବଡଭାଇ ରଇବୁଙ୍କ ମୃତ୍ୟୁ ହୋଇ ସାରିଛି । ୫୫ ବର୍ଷୀୟ ବୟସ୍କ ଭଉଣୀ କାଲରାଙ୍କ ମଧ୍ୟ ୨ ମାସ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ଏହାପରେ କାଲରାଙ୍କ ନାମରେ ବ୍ୟାଙ୍କରେ ଥିବା ଜମା ଟଙ୍କା ଉଠାଇବାକୁ ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କକୁ ଦଉଡି ଦଉଡି ନିରାଶ ହୋଇଥିଲେ । ବ୍ୟାଙ୍କ୍‌ ପରିଚାଳକ ତାଙ୍କୁ ଭଉଣୀକୁ ନେଇକି ଆସ କିମ୍ବା ତାଙ୍କ ଉତ୍ତରାଧିକାରୀଙ୍କୁ ନେଇକି ଆସ ବୋଲି କହିଥିଲେ । କିନ୍ତୁ କାଲରାଙ୍କ ପରିବାର କହିଲେ ଜିତୁ ଓ ଶଙ୍କରାଙ୍କ ଛଡା ଆଉ କେହି ନଥିବାରୁ ଜିତୁ ବ୍ୟାଙ୍କ୍‌କୁ ବାରମ୍ବାର ଯାଇଥିଲେ । ତେବେ ବ୍ୟାଙ୍କ୍‌ ଅଧିକାରୀ ଭଉଣୀକୁ ନେଇକି ଆସ ଟଙ୍କା ଦେବି କହି ଫେରାଇ ଦେଇଥିଲେ । ଶେଷରେ ଜିତୁ ମୁଣ୍ଡା ଶ୍ମଶାନରୁ ବଡ଼ଭଉଣୀର ଶବକୁ ଖୋଳି ଏକ ବସ୍ତାରେ ପୂରାଇ ୩ କିମି ଦୂର ମଲ୍ଲୀପଶି ଗ୍ରାମ୍ୟ ବ୍ୟାଙ୍କ୍‌କୁ ଯାଇଥିଲେ । ବ୍ୟାଙ୍କ୍‌ ସମ୍ମୁଖରେ ରଖି ଶାଖା ପରିଚାଳକଙ୍କୁ ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଦାବି କରିଥିଲେ । ବ୍ୟାଙ୍କ୍‌ କର୍ମଚାରୀ ସଙ୍ଗେ ସଙ୍ଗେ ଗେଟ୍‌ ବନ୍ଦ କରିଦେବାରୁ ସେ ବାରଣ୍ଡାରେ ବସି ରହିଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା | ଏହି ଖବର ରାଜ୍ୟ ଠାରୁ ଜାତୀୟ ସ୍ତରର ସବୁ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନ ଆକ୍ସନ ମୋଡ଼ରେ ଆସିଥିଲା | ଶେଷରେ ବ୍ୟାଙ୍କ କର୍ମଚାରୀ ଜିତୁଙ୍କୁ ତାଙ୍କ ଜମା ଟଙ୍କା ଫେରାଇଥିଲେ | ଏହାପରେ ନେଇ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ତେବେ ଏହା ପୂର୍ବରୁ ଦାନ ମାଝି ଏବଂ ଫନସ୍ ପୁଞ୍ଜି ଘଟଣାରେ ମଧ୍ୟ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଥିଲା | ସରକାରଙ୍କ ଗରିବ ଅସହାୟ ଲୋକଙ୍କ ପାଇଁ କରିଥିବା ସରକାରୀ ଯୋଜନାର ବାସ୍ତବତାର ବିକଳ ଚିତ୍ରକୁ ପଦାରେ ପକାଉଛି | ଏହାସହିତ ଓଡିଶା ଏବଂ ଭାରତର ଛବିକୁ ବିଶ୍ୱ ଦରବାରରେ ନିନ୍ଦିତ କରୁଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories