ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ବିଜେପି ମନ୍ତ୍ରୀ!
ରାଜସ୍ଥାନ,୩୦ା୪ :କେନ୍ଦୁଝର ଜିଲ୍ଲାରେ ଜମା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କବର ଭିତରୁ କଙ୍କାଳ କାଢ଼ି ବ୍ୟାଙ୍କକୁ ବୋହି ଆଣିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ରାଜ୍ୟ ଠାରୁ ଦେଶ ପର୍ଯ୍ୟନ୍ତ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ରାଜସ୍ଥାନର କୃଷିମନ୍ତ୍ରୀ କିରୋଡି ଲାଲ ମୀନା। ଏଭଳି ଦୁଃଖଦ ଘଟଣାକୁ ସଭ୍ୟ ସମାଜ ଉପରେ ଏକ ‘କଳଙ୍କ’ ବୋଲି ବିବେଚନା କରିବା ସହ ମନ୍ତ୍ରୀ ଜିତୁ ମୁଣ୍ଡା ଙ୍କ ପରିବାରକୁ ନିଜର ଏକ ମାସର ଦରମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀଙ୍କ ମୃତ୍ୟୁ ପରେ ତାଙ୍କ ନାମରେ ଜମା ହୋଇଥିଵା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ ସେଠାରେ ବ୍ୟାଙ୍କ୍ ଅଧିକାରୀ ଜଣକ ତାଙ୍କୁ ପ୍ରମାଣ ମାଗିଥିଲେ। ଉପଯୁକ୍ତ ପ୍ରମାଣ ନ ଥିବାରୁ ବ୍ୟାଙ୍କରୁ ବାରମ୍ବାର ନିରାଶ ହୋଇ ଫେରୁଥିଲେ ଜିତୁ ମୁଣ୍ଡା | ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଉପରେ ଚାପ ପକାଇଥିଲେଯେ, ପ୍ରମାଣ ଅନ ପଇସା ଦେବି। ଶେଷରେ ଅସହାୟ ଜିତୁ ମୁଣ୍ଡା ଅନ୍ୟ କିଛି ଉପାୟ ନ ପାଇ କବର୍ ଭିତରୁ ଭଉଣୀର ମୃତଦେହ କାଢ଼ି ବସ୍ତାରେ ଭର୍ତ୍ତି କରି ବ୍ୟଙ୍କକୁ ନେଇ ଯାଇଥିଲେ। ବ୍ୟାଙ୍କ ସମ୍ମୁଖରେ କଙ୍କାଳକୁ ରଖି ଭଉଣୀକୁ ଦେଖ ପଇସା ଦିଅ ବୋଲି କହିଥିଲେ । ଏହି ଘଟଣା ପରେ ଗଣମାଧ୍ୟମ ଠାରୁ ସୋସିଆଲ ମିଡ଼ିଆ ପର୍ଯ୍ୟନ୍ତ ପ୍ରସାରିତ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଥିଲା
ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ଭିଡିଓ ଶେୟାର କରି ମନ୍ତ୍ରୀ ମୀନା କହିଛନ୍ତିଯେ, ଜିତୁ ମୁଣ୍ଡାଙ୍କ ଅସହାୟତା ଓ ଯନ୍ତ୍ରଣା ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ସରକାରୀ ପ୍ରକ୍ରିୟା ନାମରେ ଜଣେ ଗରିବ ଆଦିବାସୀ ବ୍ୟକ୍ତିଙ୍କୁ ଏଭଳି ମାନସିକ ନିର୍ଯାତନା ଦେବା ଯେକୌଣସି ସଭ୍ୟ ସମାଜ ପାଇଁ ଏକ କଳଙ୍କ। ଏହି ମାମଲାରେ ପ୍ରକୃତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ତେବେ ଖୁବ୍ଶୀଘ୍ର ତାଙ୍କର ଏକ ମାସର ଦରମା ପୀଡ଼ିତଙ୍କ ପରିବାର ନିକଟକୁ ପଠାଇ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଭବିଷ୍ୟତରେ ଯେପରି କୌଣସି ଅସହାୟ ବ୍ୟକ୍ତିଙ୍କୁ ଏଭଳି ଏଭଳି ଘଟଣାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ ସଜାଗ ରହିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଛନ୍ତି।

