Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତିତ୍ୱ ହରାଉଛି ଆଞ୍ଚଳିକ ଦଳ; ଶକ୍ତିଶାଳୀ ହେଉଛି ବିଜେପି!

ଭୁବନେଶ୍ୱର, ୬ | ୫ : ଅସ୍ତିତ୍ବ ହରାଉଛନ୍ତି ବିଭନ୍ନ ଆଞ୍ଚଳିକ ଦଳ | ଗୋଟିଏ ପରେ ଗୋଟିଏ ଦଳ ଆଞ୍ଚଳିକ ଦଳ ଦୁର୍ବଳ ହେବାରେ ଲାଗିଛି | ନିକଟରେ ପଶ୍ଚିମବଙ୍ଗ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିଛି ଯାହାର ଫଳାଫଳ ଦିନକ ପୂର୍ବରୁ ସାମ୍ନାକୁ ଆସିଛି | ବର୍ତ୍ତମାନ ୩ ରାଜ୍ୟରେ ବିଜେପିର ଲହରୀ ଖେଳିଛି | କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଫଳାଫଳ ଆସିଛି ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ | ଦୀର୍ଘ ୧୫ ବର୍ଷ ଧରି କ୍ଷମତାରେ ରହିଥିବା ଟିଏମସି ଦଳ ଧରାଶାୟୀ ହୋଇଛି | ମମତା ବାନାର୍ଜୀଙ୍କ ଗଡ ଭାଙ୍ଗି ବିଜେପି ଏବେ ବଙ୍ଗରେ ନିଜର ଆଧିପତ୍ୟ ବିସ୍ତାର କରିଛି |

ସେହିପରି ତାମିଲନାଡୁରେ ଡିଏମକେର ସଭାପତି ଏମକେ ଷ୍ଟାଲିନ ମଧ୍ୟ ଏଥର ଦୀର୍ଘ ବର୍ଷର ଶାସନ ପରେ ଏବେ ପରାଜୟର ସମ୍ମୁଖୀନ ହୋଇଛନ୍ତି | ସୁପରଷ୍ଟାର ବିଜୟଙ୍କ ନେତୃତ୍ୱରେ ନୂଆ କରି ଗଠନ ହୋଇଥିବା ଆଞ୍ଚଳିକ ଦଳ ଠାରୁ ପରାଜିତ ହୋଇଛନ୍ତି ଏମକେ ଷ୍ଟାଲିନ | ତେବେ ଦୀର୍ଘ ବର୍ଷର ଶାସନ ପରେ ଆଞ୍ଚଳିକ ଦଳ ସତ୍ତା ହରାଇବା ନୂଆ କଥା ନୁହେଁ |

ଏହା ପୂର୍ବରୁ ୨୦୨୪ ନିର୍ବାଚନରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ରହିଥିବା ପରେ ମଧ୍ୟ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିଲା | ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ମିଳିଥିଲା ବିଜୁ ଜନତା ଦଳକୁ |ବିଜେପିର ରଣନୀତି ଆଉ ପାଣ୍ଡିଆନଙ୍କ ଆଧିପତ୍ୟ ଦଳକୁ ବେଶି ଦୁର୍ବଳ କରିଥିଲା | ଜନତାଙ୍କର ଭରଷା ସାଉଁଟିବାରେ ବିଫଳ ହୋଇଥିଲା ବିଜେଡି | ଯାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହୋଇଥିଲା | ବର୍ତ୍ତମାନ ବିଜେଡି ହାରିବା ପରେ ରାଜ୍ୟରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଶାସକ ଦଳର କଡା ପ୍ରଦ୍ବନ୍ଦିତା କରିବ ବୋଲି ଅନୁମାନ କରାଯାଉଥିଲା | କିନ୍ତୁ ଦଳ ବର୍ତ୍ତମାନ ଦୁର୍ବଳ ହେବାରେ ଲାଗିଛି | ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କର୍ମୀ ଏବଂ ନେତା ଦଳ ଛାଡି ଯାଇ ଅନ୍ୟ ଦଳରେ ମିଶିବାରେ ଲାଗିଛନ୍ତି | ଯାହାପରେ ଆଞ୍ଚଳିକ ଦଳ ନିଜର ସତ୍ତା ହରାଉଥିବା ଭଳି ଅନୁମାନ ହେଉଛି | ଅନ୍ୟପଟେ ବିଜେଡି ନେତାଙ୍କ କହିବା କଥା କି ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ନେତୃତ୍ୱରେ ବିଜୁ ଜନତା ଦଳ ଏବେ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ବିଜେପି ଆଗରେ ଛିଡା ହୋଇଛି ଏବଂ ଆଗକୁ ରହିବ ମଧ୍ୟ |
ସୂଚନାଯୋଗ୍ୟ , ଏବେ ଓଡିଶାରେ ଆଉ ଏକ ନୂଆ ଆଞ୍ଚଳିକ ଦଳ ମୁଣ୍ଡ ଟେକିଛି | କଂଗ୍ରେସରୁ ନିଲମ୍ବିତ ହୋଇଥିବା ନେତା ମହମ୍ମଦ ମୋକିମଙ୍କ ନେତୃତ୍ଵାଧୀନରେ ‘ଓଡିଶା ଜନତା କଂଗ୍ରେସ’ ନାମକ ଏକ ଆଞ୍ଚଳିକ ଦଳ ଗଠନ ହୋଇଛି | ଏହି ଦଳ ଆଗକୁ ହେବାକୁ ଥିବା ନିର୍ବାଚନରେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଗୁଡିକୁ କଡା ଟକ୍କର ଦେବ ବୋଲି ମୋକିମ କହିଛନ୍ତି | ଏହାସହିତ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏହି ଦଳ ନିସ୍ଵାର୍ଥପର ଭାବେ ସେବା କରିବ ବୋଲି ମୋକିମ ପ୍ରତିଶୃତି ଦେଇଛନ୍ତି |

ସେହିପରି କେଜ୍ରିୱାଲଙ୍କ ନେତୃତ୍ୱରେ ଗଠନ ହୋଇଥିବା ଆମ ଆଦମୀ ପାର୍ଟି ମଧ୍ୟ ଏବେ ଦୁର୍ବଳ ହେବାରେ ଲାଗିଛି | ନିକଟରେ ରାଜ୍ୟସଭା ସାଂସଦ ତଥା ଆମ ଆଦମୀ ପାର୍ଟିର ପୂର୍ବତ୍ତନ ନେତା ରାଘବ ଚଢାଙ୍କ ସମେତ ୭ ସାଂସଦ ବିଜେପିରେ ସାମିଲ ହୋଇଛନ୍ତି | ଅନ୍ୟପଟେ ଜାତୀୟ ଦଳ ଏବେ ଗୋଟିଏ ପରେ ଗୋଟିଏ ପ୍ରଦେଶରେ ଖାତା ଖୋଲିବାରେ ଲାଗିଛି | ବିଜେପିର ଲହରୀ ଏବେ ଦେଶବ୍ୟାପି ଖେଳିଛି | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ଏବେ ଶକ୍ତିଶାଳୀ ରୂପ ନେଉଛି | ଓଡ଼ିଶା ପରେ ପଶ୍ଚିମବଙ୍ଗରେ ନିଜର ପ୍ରଭାବ ବିସ୍ତାର କରିବା ବିଜେପି ପାଇଁ ଏକ ବଡ ଚାଲେଞ୍ଜ ରହିଥିଲା | କିନ୍ତୁ ବହୁ ପ୍ରୟାସ ପରେ ବିଜେପି ଶେଷରେ ବଙ୍ଗରେ କ୍ଷମତାକୁ ଆସିଛି | ଆସନ୍ତା ୯ରେ ପଶ୍ଚିମବଙ୍ଗରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ଉତ୍ସବ ରହିଛି | ନୋବେଲ ବିଜେତା ତଥା ବିଶ୍ୱଗୁରୁ ରବିନ୍ଦ୍ର ନାଥ ଟାଗୋରଙ୍କ ଜନ୍ମ ବାର୍ଷିକି ଅବସରରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ