Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଅନ୍ତାରେ ପୋଲିସ ସାମ୍ନାରେ ଯୁବକଙ୍କୁ ବାନ୍ଧି ପିଟି ପିଟି ହତ୍ୟା ଘଟଣା, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର,୮।୫: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ମାରଦେଇଥିବା ଘଟଣା । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ଏହାସହିତ ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଆକ୍ରମଣକାରୀଙ୍କ ଅନୁସନ୍ଧାନ ଚାଲିଛି । ପୁଲିସ କମିଶନରଙ୍କ ସୂଚନା ଅନୁଯାୟୀ ବାଲିଅନ୍ତା ଥାନାରେ ଦୁଇଟି ଭିନ୍ନ ଭିନ୍ନ ମାମଲା ଦାୟର କରାଯାଇଛି। ଗୋଟିଏ ପଟେ ମୃତ ଯୁବକଙ୍କ ବାପା ଏତଲା ଦେଇଥିବା ବେଳେ ଅନ୍ୟପଟେ  ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ ଏତଲା ଦାୟର କରାଯାଇଛି ।

ତେବେ ମୃତ ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଯେଉଁ ବ୍ୟକ୍ତି ମାନେ ଯୁବକଙ୍କୁ ମାଡ଼ ମାରି ଆଇନକୁ ହାତକୁ ନେଇଛନ୍ତି ସେହି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି।

ସୂଚନାଯୋଗ୍ୟ,  ଗତକାଲି ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଯୁବତୀ ଏକ ସ୍କୁଟିରେ ବେଣୁପୁରରୁ ଭିଙ୍ଗର ଯାଉଥିଲେ । ଆଉ ସେହି ସମୟରେ ଏକ ଦ୍ରୁତଗାମୀ ବାଇକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଯୁବତୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ମାନବିକତା ଭୁଲି ଦୁର୍ଘଟଣା ଘଟାଇଥିବା ଯୁବକ ଜଣଙ୍କ ତାଙ୍କୁ ଅସଦାଚରଣ ବ୍ୟବହାର ଦେଖାଇଥିଲେ। ଏହାପରେ ସେହି ଅଞ୍ଚଳରେ ଉପସ୍ଥିତ ଥିବା ଯୁବକମାନେ ଦୁଇ ଯୁବକଙ୍କୁ ପ୍ରଥମେ କାବୁ କରିବା ସହ ମାଡ଼ ମାରିଥିଲେ। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଚିକିତ୍ସା ପାଇଁ ଯୁବକଙ୍କୁ ମେଡ଼ିକାଲକୁ ନେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେପଟେ ଆଜି ଘଟଣାସ୍ଥଳକୁ ଯିବେ ମହିଳା କମିସନ ଅଧ୍ୟକ୍ଷା ।

ଅନ୍ୟପଟେ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘଟଣାକୁ କଡ଼ା ନିନ୍ଦା କରିବା ସହ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ରାଜଧାନୀରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖଛନ୍ତି ।

ସେ ଆହୁରି କହିଛନ୍ତିଯେ, ଯଦି ପୋଲିସ ସମ୍ମୁଖରେ ଏପରି ଘଟଣା ଘଟୁଛି, ତେବେ ସାଧାରଣ ଲୋକ କାହା ଉପରେ ଭରସା କରିବେ ? ଅପରାଧୀଙ୍କ ଆଗରେ ପୋଲିସ ପ୍ରଶାସନ, ସରକାର ଅସହାୟ କାହିଁକି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ’ଣ ହେବ ତାହା ଜଳ ଜଳ ହୋଇ ଦିଶୁଛି। ସେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବର କାଣ୍ଡର ଉଦାହରଣ ଦେଇ ସରକାର କ’ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ? ବୋଲି ପ୍ରଶ୍ନ କରିଛନ୍ତି । ସରକାର ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଧାରଣ ଲୋକଙ୍କ ସୁରକ୍ଷା ଏବଂ ଓଡ଼ିଶାରେ ଆଇନଶୃଙ୍ଖଳା ଵ୍ୟଵସ୍ଥାକୁ ସୁଦୃଢ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। 

ଅପରପକ୍ଷରେ, ଏହି ଘଟଣା ଉପରେ ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଛନ୍ତି। ଏହି ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ