Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ନିର୍ବାଚନୀ ମାମଲା: ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର, ୯ | ୫ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ହାଇକୋର୍ଟରୁ ନିରାଶ ହେବା ପରେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି | ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କ ଦ୍ଵାରା ହୋଇଥିବା ମାମଲାର ଏକ ଅନ୍ତରୀଣ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଶପଥପତ୍ରରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ନିର୍ବାଚନୀ ପିଟିସନକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଖାରଜ କରିବାକୁ ଟଙ୍କଧର କରିଥିବା ଦାବିକୁ ହାଇକୋର୍ଟ ଖାରଜ କରିଦେଇଥିଲେ ।

ସୂଚନା ଅନୁସାରେ , ଦୀପାଳି ଦାସଙ୍କ ନିର୍ବାଚନୀ ପିଟିସନରେ ଦୁର୍ନୀତିଗ୍ରସ୍ତ ଆଚରଣ ସମ୍ପର୍କିତ ଅଭିଯୋଗ ଥିଲେ ମଧ୍ୟ ଏହା ସହିତ ନିର୍ଦ୍ଧାରିତ ‘ଫର୍ମ-୨୫’ରେ ଶପଥପତ୍ର ଦାଖଲ କରାଯାଇନଥିଲା । ଏହାକୁ ନେଇ ଟଙ୍କଧର ତ୍ରିପାଠୀ ପିଟିସନଟିକୁ ଖାରଜ କରିବାକୁ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟ ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କ କହିବାନୁଯାୟୀ , ଶପଥପତ୍ରରେ ଥିବା ଏହି ତ୍ରୁଟି ସଂଶୋଧନ ହୋଇପାରିବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ମାମଲାକୁ ଖାରଜ କରାଯାଇପାରିବ ନାହିଁ । କୋର୍ଟଙ୍କ ମତରେ, ଆବେଦନକାରିଣୀଙ୍କ ଦ୍ଵାରା ଦାଖଲ ତଥ୍ୟରେ ‘ପର୍ଯ୍ୟାପ୍ତ ଅନୁପାଳନ’ (Substantial Compliance) ରହିଛି, ତେଣୁ ଏହାକୁ ଗ୍ରହଣ କରାଯାଇପାରିବ ।

ଏହି ମାମଲାଟି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନୁଯାୟୀ ପୁନଃ ଶୁଣାଣି ପାଇଁ ହାଇକୋର୍ଟକୁ ଆସିଥିଲା । କିନ୍ତୁ ମାମଲା ପରିଚାଳନାରେ ବିଳମ୍ବକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୨୬ ମାର୍ଚ୍ଚ ୬ ତାରିଖରେ ହୋଇଥିବା ଶୁଣାଣି ବେଳେ କୋର୍ଟ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରାୟ ଏକ ବର୍ଷ ବିତିଥିବା ସତ୍ତ୍ୱେ ମଧ୍ୟ ଆବେଦନ ପ୍ରକ୍ରିୟା ଶେଷ ହେଉନାହିଁ । ତେଣୁ ଟଙ୍କଧର ତ୍ରିପାଠୀଙ୍କୁ ଅଧିକ ସଂଶୋଧିତ ପ୍ଲିଡିଂ ଦାଖଲ ପାଇଁ ସମୟ ପ୍ରଦାନ ନକରି କୋର୍ଟ ତାଙ୍କୁ ଏଥିରୁ ବାରଣ କରିଛନ୍ତି ।

ହାଇକୋର୍ଟଙ୍କ ଏହି ଆଭିମୁଖ୍ୟ ବିରୋଧରେ ଟଙ୍କଧର ସୁପ୍ରିମକୋର୍ଟରେ ଏସଏଲପି (SLP(C) No. 016027/2026) ଦାୟର କରିଛନ୍ତି । ଏହି ମାମଲାଟି ଭାରତର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ବେଞ୍ଚରେ ୨୦୨୬ ମେ’ ୧୧ ତାରିଖରେ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି । ଏବେ ଏହି ଶୁଣାଣି ଉପରେ ସଭିଙ୍କ ନଜର ରହିଛି, କାରଣ ନିର୍ବାଚନ ଆଇନରେ ଶପଥପତ୍ରର ବୈଧତା ଏବଂ ପ୍ରକ୍ରିୟାଗତ ଅନୁପାଳନକୁ ନେଇ ଏଥିରେ ଚୂଡ଼ାନ୍ତ ନିଷ୍ପତ୍ତି ଆସିପାରେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories