ବାଲିଅନ୍ତା ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ; ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ!
ଭୁବନେଶ୍ୱର,୧୦।୫:ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ନିର୍ମମ ଭାବେ ମାଡ ମାରି ହତ୍ୟା କରିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ପଦକ୍ଷେପ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟା ଘଟଣାର ସମ୍ପୃକ୍ତ ଥିବା ଦୋଷୀମାନଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।
ଗତକାଲି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ ଓ ସଜାଗ ରହିବା ପାଇଁ ତାଗିଦ କରିଛନ୍ତି।
ଏହାସହ ରାଜ୍ୟରେ ଶୃଙ୍ଖଳିତ ଆଇନ ବ୍ୟବସ୍ଥାରେ ସୁଧାର ଲାଗି ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ. ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୋଇନ୍ଦା ନିର୍ଦ୍ଦେଶକ ଆର୍.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶ ଆଇନ ଶୃଙ୍ଖଳା ସଞ୍ଜୟ କୁମାର, ଏଡିଜି କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ର, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ଏବଂ ଡିସିପି ଜଗନମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବାଲିଅନ୍ତାରେ ଜିଆର୍ପି କନଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁ ଜଣେ ଝିଅକୁ ଅସଦାଚରଣ ବ୍ୟବହାର କରିବା ଅଭିଯୋଗରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଉତ୍ତ୍ୟକ୍ତ ହୋଇ ଅମାନୁଷିକ ହତ୍ୟାକାଣ୍ଡ ଘଟାଇଥିଲେ। ନିର୍ମମ ଭାବେ ବନ୍ଧୁ ପିଟି ପିଟି ତାଙ୍କୁ ହତ୍ୟା କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ଓଡ଼ିଶାର ଶୃଙ୍ଖଳିତ ଆଇନ ବ୍ୟବସ୍ଥାକୁ ପଦାରେ ପକାଇଛି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେନେଇ ସତର୍କ ରହିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ଘଟଣାରେ ପୋଲିସ ସର୍ବମୋଟ ୧୧ ଜଣଙ୍କୁ ଗିରଫ୍ କରିଛି ।

