ସୀମା ବିବାଦକୁ ନେଇ ପଡୋଶୀଙ୍କ ଶାବଳରେ ଆକ୍ରମଣ ! ମହିଳା ମୃତ, ଅନ୍ୟ ଜଣେ ଗୁରୁତର
ବାଲେଶ୍ୱର , ୧୧ | ୫ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ହରିପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି | ଘର ତିଆରି ବେଳେ ସୀମା ବିବାଦକୁ କେନ୍ଦ୍ର କରି ବିବାଦ ଉଗ୍ରରୁପ ଧାରଣ କରିଥିଲା | ପରେ ପଡ଼ୋଶୀଙ୍କ କୋଦାଳ ଓ ଶାବଳମାଡ଼ରେ ୩୯ ବର୍ଷୀୟ କମଳା ସେଠୀଙ୍କ ମୃତ୍ୟୁ ହୋଇଥିବାବେଳେ କମଳାଙ୍କ ଭାଉଜ ଶଙ୍କୁନ୍ତଳା ସେଠୀ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି | ତାଙ୍କର ଅବସ୍ଥା ମଧ୍ୟ ସଙ୍କଟାପର୍ଣ୍ଣ ରହିଛି । ଖଇରା ପୁଲିସ୍ ଏକ ମାମଲା ରୁଜୁ କରି ଆକ୍ରମଣରେ ସଂପୃକ୍ତ ଭାରତୀ ଜେନା ନାମକ ମହିଳାଙ୍କୁ ଅଟକ ରଖିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ପୂର୍ବାହ୍ନରେ ସୁରେନ୍ଦ୍ର ସେଠୀଙ୍କର ଘର ଛାତ ପାଇଁ ସୀମା ମାପିବା କାର୍ଯ୍ୟ ଚାଲିଥିବା ବେଳେ ପଡ଼ୋଶୀ ଭରତ ଜେନା ଓ ତାଙ୍କ ପରିବାରର ଅନ୍ୟମାନେ ଆମ ଜାଗାକୁ କାହିଁକି ମାଡ଼ିଆସିଛ ବୋଲି କହି ପାଟିତୁଣ୍ଡ ଆରମ୍ଭ କରିଥିଲେ। ଯାହା ପରେ ଉଗ୍ର ରୂପ ନେଇଥିଲା | ପରେ ଭରତ ଓ ତାଙ୍କ ସ୍ତ୍ରୀ ଭାରତୀ ପୁଅ ମାନସ ଓ ମିନତୀ ଉତ୍ତ୍ୟକ୍ତ ହୋଇ ଶାବଳ ଓ କୋଦାଳରେ ସୁରେନ୍ଦ୍ର ଓ ତାଙ୍କ ପତ୍ନୀ ଶଙ୍କୁନ୍ତଳା,ଝିଅ ତୁଳସୀ ଓ ଭଉଣୀ କମଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆହତଙ୍କୁ ପ୍ରଥମେ ଖଇରା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

