ମନ୍ଦିର ମାଳିନୀ ନଗରୀରେ ଅସୁରକ୍ଷିତ ଦେବା ଦେବୀ; ଚିତ୍ରକାରିଣୀ ମନ୍ଦିରରୁ ଲୁଟିଲେ ୩୦ଭରି ସୁନା
ଭୁବନେଶ୍ୱର, ୧୩ | ୫ : ଓଡ଼ିଶାର ସ୍ମାର୍ଟ ସିଟି ତଥା ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ, ଚୋରି, ଡକାୟତି ବଢ଼ିବାରେ ଲାଗିଛି | ରାଜ୍ୟର ଆଇନ କାନୁନକୁ ଅପରାଧୀ ମାନଙ୍କର ଟିକେ ହେଲେ ଭୟ ନାହିଁ | ନିର୍ଭୟରେ ଖୁଲମ ଖୁଲା କରୁଛନ୍ତି ଅପରାଧ | ଏବେ ମନ୍ଦିର ମାଳିନୀ ନଗରୀ ବୋଲାଉଥିବା ଭୁବନେଶ୍ୱରରେ ଦେବଦେବୀ ଅସୁରକ୍ଷିତ ହୋଇ ପଡିଛନ୍ତି | ଏଠି କେବଳ ମଣିଷ ନୁହେଁ ଦେବାଦେବୀ ମଧ୍ୟ ଅସୁରକ୍ଷିତ | ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଉତ୍ତରଦ୍ୱାର ନିକଟରେ ଥିବା ଚିତ୍ରକାରିଣୀ ମନ୍ଦିରରୁ ଲୁଟ ହୋଇଛି ପ୍ରାୟ ୩୦ଭରି ସୁନା। ରାତି ଅଧରେ ମନ୍ଦିରର ମୁଖ୍ୟ ଫାଟକ ତାଲା ଭାଙ୍ଗି ଲୁଟେରା ଗର୍ଭଗୃହରେ ପଶି ମା’ଙ୍କ ବେକରେ ପିନ୍ଧିଥିବା ୩ଟି ମଙ୍ଗଳସୂତ୍ର, ସୁନା ଗଳାମାଳ, ଅଣ୍ଟା ବିଛା, ମଥାମଣି ଏବଂ ଚନ୍ଦ୍ର ସମେତ ମା’ଙ୍କ ୩୦୦ , ୪୦୦ ବର୍ଷର ଏକ ପ୍ରାଚୀନ ମୂର୍ତ୍ତି ଚୋରି କରିଛନ୍ତି। ଏଥି ସହ ଦୁଇଟି ପାଟଲୁଗା ଓ ଦାନ ବାକ୍ସରେ ଥିବା ଟଙ୍କା ମଧ୍ୟ ଚୋରି କରିନେଇଛନ୍ତି।
ତେବେ ମନ୍ଦିରରେ ଚୋରି ହୋଇଥିବା ନେଇ ମନ୍ଦିର ପୂଜକ ଶ୍ରୀଲିଙ୍ଗରାଜ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଚୋରିର ଖୋଳତାଡ଼ ଆରମ୍ଭ କରିଛି। ପୂଜକଙ୍କ କହିବା ଅନୁଯାୟୀ, ଗତକାଲି ରାତି ୧୧ଟାରେ ମନ୍ଦିର ପୂଜା ସାରି ପହୁଡ଼ ପକାଇ ସେ ଘରକୁ ଯାଇଥିଲେ । ତେବେ ସକାଳୁ ମନ୍ଦିର ସଂଲଗ୍ନ ପାର୍କର ମାଳି ଓ ଭକ୍ତମାନେ ଚୋରି ସମ୍ପର୍କରେ ସୂଚନା ଦେଇଥିଲେ। ଭକ୍ତମାନେ ଦାନ ଦେଇଥିବା ସୁନା ମା’ଙ୍କୁ ପିନ୍ଧାଯାଇଥିଲା। ସେହିପରି ପ୍ରାୟ ଦେଢ଼ମାସ ପୂର୍ବରୁ ଏହି ମନ୍ଦିରରେ ମା’ଙ୍କ ମନ୍ଦିରରୁ ସୁନା ମଙ୍ଗଳସୂତ୍ର ମଧ୍ୟ ଚୋରି ହୋଇଥିଲା। ସେହିପରି ଦୁଇଦିନ ପୂର୍ବରୁ ବିନ୍ଦୁସାଗର କୂଳରେ ଶ୍ରାଦ୍ଧ ମଣ୍ଡପକୁ ଲାଗି ରହିଥିବା ପୁରାତନ ଶଙ୍କରାଚାର୍ଯ୍ୟ ମଠରେ ଥିବା ଅଷ୍ଟଧାତୁର ରାଧାଗୋବିନ୍ଦ ମୂର୍ତ୍ତି, ଚାମୁଣ୍ଡା ଲକ୍ଷ୍ମୀ ମୂର୍ତ୍ତି, ପିତ୍ତଳ ଖଟୁଳିରେ ଥିବା ଶାଳଗ୍ରାମ, ମହାଦେବଙ୍କ ଲିଙ୍ଗ ଆଦି ଚୋରି ହୋଇଛି। ପୂଜକ ଆହୁରି କହିଛନ୍ତି ମନ୍ଦିରରେ ଉତ୍ତମ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଲୁଟେରା ଏପରି ସାହସ କରିଛନ୍ତି | ଜଣେ ସ୍ଥାନୀୟ ବାସୀଙ୍କ କହିବା ଅନୁସାରେ ଏହି ଅଞ୍ଚଳରେ ନିତ୍ୟଦିନ ପୋଲିସ ପେଟ୍ରୋଲିଙ୍ଗ କରୁଛି କିନ୍ତୁ ପ୍ରଶ୍ନ ହେଉଛି କି ପୋଲିସର ପେଟ୍ରୋଲିଙ୍ଗ ସତ୍ତ୍ୱେ ଅପରାଧୀ ଏଭଳି କାନ୍ଦ ଘଟାଉଛନ୍ତି | ସ୍ଥାନୀୟ ବାସୀ ଆହୁରି କହିଛନ୍ତି ଯେ, ପୁରୁଣା ଭୁବନେଶ୍ୱରରେ ପ୍ରାୟ ସମସ୍ତ ମନ୍ଦିର ଅସୁରକ୍ଷିତ ଅବସ୍ଥାରେ ରହିଛି | ରାତି ଅଧରେ ନିଶାଡୀ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିଯାଇଛି ମନ୍ଦିର ଗୁଡିକ | ଏହା ପୋଲିସର କାନୁନ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ଉଠାଇଛି |

