Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସକୁ ବଡ଼ ଆଶ୍ଵସ୍ତି: ଦୂର ହେଲା ମତଭେଦ-ମତାନ୍ତର, ଏକଜୁଟ୍ ହୋଇ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲେ ଗେହଲଟ୍-ପାଇଲଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ଲଢେଇ ଜିତିବା ପରେ ଏବେ କଂଗ୍ରେସର ପୂରା ଧ୍ୟାନ ରାଜସ୍ଥାନ ଉପରେ କେନ୍ଦ୍ରୀଭୂତ ରହିଛି। ହେଲେ ଦଳର ସବୁଠୁ ବଡ଼ ଚିନ୍ତାର କାରଣ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଜାରି ମତଭେଦ ଏବଂ ତିକ୍ତତା। ଉଭୟଙ୍କ ମଧ୍ୟରେ ଥିବା ବାଦ ବିବାଦର ଅନ୍ତ ଘଟାଇବା ପାଇଁ ପାର୍ଟି ଅନେକ ଉଦ୍ୟମ କରି ସାରିଛି। ତେବେ ଏହାକୁ ନେଇ ରାଜସ୍ଥାନରୁ ଆସିଛି ବଡ଼ ଖବର। କୁହାଯାଉଛି ଗେହଲଟ୍ ଏବଂ ପାଇଲଟଙ୍କ ମଧ୍ୟରେ ବିବାଦର ସମାଧାନ ହୋଇ ଯାଇଛି। ପାର୍ଟି ହାଇକମାଣ୍ଡଙ୍କ ସହିତ ପାଖାପାଖି ୪ ଘଣ୍ଟାର ବିସ୍ତୃତ ଆଲୋଚନା ପରେ କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ୍ ଉଭୟ ଏକଜୁଟ୍ ହୋଇ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛନ୍ତି। ଆମେ ଏକଜୁଟ୍ ହୋଇ ନିର୍ବାଚନ ଲଢିବୁ ଏବଂ ରାଜସ୍ଥାନରେ ବିଜୟ ହାସଲ କରିବୁ ବୋଲି ବେଣୁଗୋପାଳ କହିଛନ୍ତି।

ରାହୁଲ ଗାନ୍ଧୀ ଥିଲେ ଉପସ୍ଥିତ
ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସଚିନ ପାଇଲଟ୍ ଏବଂ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ରାନ୍ଧଓ୍ଵାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଲଗା କୋଠରୀରେ ବସିଥିଲେ। ଏହା ପୂର୍ବରୁ ସଚିନ ପାଇଲଟ୍ ନ ଆସିବା ପର୍ଯ୍ୟନ୍ତ ନେତାମାନେ ଗେହଲଟଙ୍କ ସହ ଆଲୋଚନା କରିଥିଲେ। ସୂତ୍ର ଅନୁଯାୟୀ, ସରକାରରେ ସଚିନ ପାଇଲଟଙ୍କୁ ସାମିଲ୍ କରିବା ପାଇଁ ଉଦ୍ୟମ କରାଯାଉଛି। ତେବେ ଏସବୁ ପୂର୍ବରୁ ଯେତେବେଳେ ଖଡ଼ଗେ ଅଶୋକ ଗେହଲଟଙ୍କୁ ଭେଟିଲେ କୌଣସି ସମାଧାନ ବାହାରି ପାରିନଥିଲା। ଏହା ପରେ ରାହୁଲ ଗାନ୍ଧୀ ଖଡ଼ଗେଙ୍କୁ ଫୋନ କରି ଗତିରୋଧର ସମାଧାନ କରିବାକୁ ଅନୁରୋଧ କରିଥିଲେ। ପୁଣି ରାହୁଲ ଗାନ୍ଧୀ ଏହି ମାମଲାରେ ବିଚାର ବିମର୍ଶ ପାଇଁ ଖଡ଼ଗେଙ୍କ ବାସଭବନ ପହଞ୍ଚିଥିଲେ।

ଏହା ପରେ ପାର୍ଟିର ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ରାନ୍ଧଓ୍ଵାଙ୍କୁ ଡକାଯାଇଥିଲା। ପ୍ରାୟ ୨ ଘଣ୍ଟା ପରେ ପାଇଲଟ ବୈଠକରେ ସାମିଲ୍ ହୋଇଥିଲେ। ଦୀର୍ଘ ସମୟ ପରେ ପ୍ରଥମ ଥର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପାର୍ଟି ହାଇକମାଣ୍ଡଙ୍କ ଉପସ୍ଥିତିରେ ସାମ୍ନା ସାମ୍ନି ବସିଥିବା ଦେଖିବାକୁ ମିଳିଥିଲା। ବୈଠକରେ ପାର୍ଟିର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏବଂ ରାଜସ୍ଥାନର ବରିଷ୍ଠ ନେତା ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ସମୟ ଆଲୋଚନା ପରେ ପାଇଲଟ୍ ଏବଂ ଗେହଲଟ୍ ରାଜସ୍ଥାନ ନିର୍ବାଚନ ଏକାଠି ମିଶି ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ବାଦ ବିବାଦର ସମାଧାନ ହୋଇଥିବା ପାର୍ଟି ପକ୍ଷରୁ ଟୁଇଟ୍ କରି କୁହାଯାଇଛି।

ଏମିତି ଥିଲା ପୂରା ମିଟିଂ ସମୟ
ପ୍ରଥମେ ସନ୍ଧ୍ୟା ୫ଟା ୫୫ରେ ଅଶୋକ ଗେହଲଟ୍ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଥିଲେ। ଏହା ପରେ ସନ୍ଧ୍ୟା ୬ଟା ୧୭ରେ ରାହୁଲ ଗାନ୍ଧୀ ମଧ୍ୟ ପହଞ୍ଚିଥିଲେ। ସନ୍ଧ୍ୟା ୬ଟା ୪୩ରେ ସୁଖଜିନ୍ଦର ରାନ୍ଧଓ୍ଵାଙ୍କୁ ଖଡ଼ଗେଙ୍କ ଘରକୁ ଆସିଥିଲେ। ଶେଷରେ ସନ୍ଧ୍ୟା ୮ଟା ୧୯ରେ ସଚିନ ପାଇଲଟ ବାସଭବନରେ ପହଞ୍ଚିଥିଲେ। ଏହା ପରେ ରାତି ୧୦ଟା ଯାଏ ବୈଠକ ଚାଲିଥିଲା, ଯାହାର ଫଳାଫଳ ଏବେ ସଭିଙ୍କ ସାମ୍ନାରେ। ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରାଯାଇଛି ଏବଂ ରାଜସ୍ଥାନ ନିର୍ବାଚନ ମିଶିକି ଲଢିବେ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ