ରୁଷ ତେଲ ଉପରେ ରୋକ୍ ଭୟ! ଭାରତରେ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ, ୧୫।୫: ବିଶ୍ୱ ତୈଳ ବଜାରରେ ଏବେ ବଡ଼ ଅସ୍ଥିରତା ଦେଖାଦେଇଛି। ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତର ଶକ୍ତି ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଆଉ ମାତ୍ର ୨୪ ଘଣ୍ଟା ପରେ, ଅର୍ଥାତ୍ ମେ ୧୬ ତାରିଖ ରାତି ୧୨ଟା ପରେ, ଭାରତକୁ ରୁଷରୁ କମ ଦରରେ ମିଳୁଥିବା ଅଶୋଧିତ ତୈଳ ଆମଦାନୀ ଉପରେ ରୋକ୍ ଲାଗିପାରେ। ଯଦି ଆମେରିକା ପକ୍ଷରୁ ଦିଆଯାଇଥିବା ଅବଧିକୁ ପୁଣି ବଢ଼ାନଯାଏ , ତେବେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଯୋଗାଣ ଉପରେ ବଡ଼ ପ୍ରଭାବ ପଡ଼ିପାରେ।
ଗତ ୭୫ ଦିନ ଧରି ହୋର୍ମୁଜ ପ୍ରଣାଳୀରେ ଚାଲିଥିବା ଉତ୍ତେଜନା ଓ ବିଶ୍ୱ ତୈଳ ଯୋଗାଣରେ ବାଧାପ୍ରାପ୍ତ ହେବାରୁ ଭାରତରେ ଇନ୍ଧନକୁ ନେଇ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି । ରୁଷରୁ ତେଲ କିଣିବା ଉପରେ ଆମେରିକା ଲଗାଇଥିବା ପ୍ରତିବନ୍ଧକରୁ ଭାରତକୁ କିଛି ସମୟ ପାଇଁ ଛାଡ଼ ମିଳିଥିଲା। ଆଉ ଏବେ ଏହି ଅବଧି ମେ ୧୬ ମଧ୍ୟରାତ୍ରିରେ ଶେଷ ହେବାକୁ ଯାଉଛି। ଭାରତ ପକ୍ଷରୁ ପୁଣି ଥରେ ଆମେରିକାକୁ ଏହି ଛାଡ଼ ଅବଧି ବଢ଼ାଇବା ପାଇଁ ଅନୁରୋଧ କରାଯାଇଛି।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରଠାରୁ ଆମେରିକା ଭାରତ ଉପରେ ଚାପ ପକାଇ ଆସୁଛି। ଆମେରିକା ଚାହୁଁଛି ଯେ, ଭାରତ ରୁଷରୁ କମ୍ ଦରରେ ତେଲ କିଣି ମସ୍କୋର ଅର୍ଥନୀତିକୁ ସହଯୋଗ ନକରୁ। କିନ୍ତୁ ଭାରତ ସ୍ପଷ୍ଟ କରିଛି ଯେ, ଦେଶରେ ଶକ୍ତି ଯୋଗାଣ ହେଉଛି ସର୍ବୋଚ୍ଚ ପ୍ରାଥମିକତା। ଯଦି ତୈଳ ବଜାରରେ ଅସ୍ଥିରତା ଲାଗି ରହେ, ତେବେ ସାଧାରଣ ଲୋକଙ୍କ ଉପରେ ଏହା ବଡ ପ୍ରଭାବ ପକାଇବ | ଏହାଦ୍ୱାରା ଦେଶରେ ମୁଦ୍ରାସ୍ଫୀତି ମଧ୍ୟ ବଢିବାର ଅନୁମାନ କରାଯାଉଛି । ତେବେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ , ଯଦି ଏହି ଅସ୍ଥିରତା ଜାରି ରହେ, ତେବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ସହିତ ମୁଦ୍ରାସ୍ଫୀତି ମଧ୍ୟ ବଢିବ ।
ରିହାତି ଅବଧି ଶେଷ ହେବା ପୂର୍ବରୁ ଭାରତୀୟ ତୈଳ କମ୍ପାନୀମାନେ ଦ୍ରୁତ ଗତିରେ ରୁଷରୁ ତେଲ କିଣୁଛନ୍ତି। କ୍ଲେପର ତଥ୍ୟ ଅନୁଯାୟୀ, ମେ ମାସରେ ରୁଷରୁ ଭାରତର ତେଲ ଆମଦାନୀ ଦୈନିକ ୨.୩ ନିୟୁତ ବ୍ୟାରେଲରେ ପହଞ୍ଚିଛି, ଯାହା ରୁଷର ଭାରତ ତେଲ କିଣିବାରେ ସବୁଠାରୁ ବଡ ରେକର୍ଡ ସୃଷ୍ଟି କରିଛି | ତେବେ ଆମେରିକାର କଡ଼ା ନିୟମ କାରଣରୁ ଭାରତ ରୁଷରୁ ଆସୁଥିବା LNG ଗ୍ରହଣ କରିବାକୁ ମନା କରିଦେଇଛି। ଯେଉଁଥିପାଇଁ ଏକ ରୁଷୀୟ ଜାହାଜ ସିଙ୍ଗାପୁର ନିକଟରେ ଅଟକି ରହିଛି।
ଏହି ସଙ୍କଟ ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ପାଖରେ ବର୍ତ୍ତମାନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ତେଲ ଓ ଗ୍ୟାସ ଷ୍ଟକ୍ ରହିଛି। LNG ଷ୍ଟକ୍ ରହିଛି ଯାହା ଆଗାମୀ ୬୯ ଦିନ ପାଇଁ ଆବଶ୍ୟକତାକୁ ପୂରଣ କରିପାରିବ । ସେହିପରି LPG ଷ୍ଟକ୍ ୪୫ ଦିନ ପାଇଁ ମହଜୁଦ ରହିଛି । ଦୈନିକ ଏଲପିଜି ଉତ୍ପାଦନକୁ ୩୬ ହଜାର ଟନରୁ ବଢ଼ାଇ ୫୪ ହଜାର ଟନ କରାଯାଇଛି ।
ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଏପ୍ରିଲ ୩୦ରେ ରୁଷର ଉପ-ଶକ୍ତି ମନ୍ତ୍ରୀ ପାଭେଲ ସୋରୋକିନ ଭାରତ ଗସ୍ତ କରିଥିଲେ। ଆଗାମୀ ଜୁନ ମାସରେ ଦୁଇ ଦେଶ ମଧ୍ୟରେ ପୁଣି ବୈଠକ ହେବାର ସମ୍ଭାବନା ରହିଛି। ଏବେ ସମସ୍ତଙ୍କ ନଜର ଆମେରିକାର ପରବର୍ତ୍ତୀ ନିଷ୍ପତ୍ତି ଉପରେ। ଯଦି ଆମେରିକା ଛାଡ଼ ଅବଧି ନ ବଢାଏ , ତେବେ ଭାରତକୁ ଅନ୍ୟ ଦେଶରୁ ମହଙ୍ଗା ଦରରେ ତେଲ କିଣିବାକୁ ପଡ଼ିପାରେ। ଯାହାର ପ୍ରଭାବ ବହୁତ ଗମ୍ଭୀର ହୋଇପାରେ |

