ଓରିଏଣ୍ଟ ପୋଲିସର ଚଢ଼ାଉ : ୨୭ କିଲୋରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ
ଝାରସୁଗୁଡ଼ା, ୧୬/୫ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ‘ନିଶା ମୁକ୍ତି ଓଡ଼ିଶା ଅଭିଯାନ’ ଅଧୀନରେ ବ୍ରଜରାଜନଗର ଓରିଏଣ୍ଟ ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବିଶେଷ ସୂଚନା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମଣ୍ଡଲିଆ ବାଇପାସ୍ ରୋଡ୍ ନିକଟସ୍ଥ ମଣ୍ଡଲିଆ ପୋଖରୀ ଅଞ୍ଚଳରେ ଚଢ଼ାଉ କରି ୨୭ କିଲୋ ୫୯୫ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ଅନ୍ତର୍ଗତ ମାଝୀ ଚାକୁଣ୍ଡାପାଳ ଗ୍ରାମର ଯୋଗେନ୍ଦ୍ର କିଷାନ (୪୧)। ସେ ବର୍ତ୍ତମାନ ଓରିଏଣ୍ଟ ଥାନା ଅଞ୍ଚଳର ଦୁର୍ଗାନଗର ଏମ୍କ୍ୟୁ-୧୬୫ କ୍ୱାଟରରେ ରହୁଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ଏହି ଚଢ଼ାଉ କରା ଯାଇଥିଲା। ତଦନ୍ତରୁ ଜଣା ପଡ଼ିଛି ଯେ, ଏହି ବେଆଇନ କାରବାରର ମୁଖ୍ୟ ସୂତ୍ରଧର ବାଛୁ ଓରଫ ମୃଣାଳକାନ୍ତି ଭୋଇ ପୂର୍ବରୁ ଓରିଏଣ୍ଟ ଥାନା କେସ୍ ନଂ ୮୩/୨୦୨୬ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ସାରିଛି। ସେ ଗୁପ୍ତ ଭାବେ ଗଞ୍ଜେଇ ମହଜୁଦ ରଖିଥିବା ବେଳେ, ଯୋଗେନ୍ଦ୍ର କିଷାନ ସେହି ଗଞ୍ଜେଇକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି ଓ ପରିବହନ କରୁଥିବା ପୋଲିସ କହିଛି। ଚଢ଼ାଉ ସମୟରେ ପୋଲିସ ଏକ ପ୍ଲାଷ୍ଟିକ ବ୍ୟାଗ୍ରେ ରଖା ଯାଇଥିବା ଗଞ୍ଜେଇ ସହ ନଗଦ ୧୧୦୦ ଟଙ୍କା ମଧ୍ୟ ଜବତ କରିଛି। ଏନେଇ ଓରିଏଣ୍ଟ ଥାନାରେ ଏନ୍ଡିପିଏସ୍ ଆକ୍ଟ ଅନୁଯାୟୀ କେସ୍ ନଂ ୧୫୦/୧୫.୦୫.୨୦୨୬ ରୁଜୁ କରା ଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରା ଯାଇଥିବା ନେଇ ପୋଲିସ ପକ୍ଷରୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ଦିଆ ଯାଇଛି।

