୨୬ ତାରିଖବେଳକୁ ମୌସୁମୀ କେରଳ ଉପକୂଳ, ତାତିରୁ ମିଳିବ ଆଶ୍ୱସ୍ତି
ଭୀଷଣ ଗରମରେ ଅସହ୍ୟ ହେଉଥିବା ରାଜ୍ୟବାସୀଙ୍କୁ ଖୁବ୍ ଶୀଘ୍ର ମିଳିପାରେ ଆଶ୍ୱସ୍ତି। ଜୁନ୍ ପ୍ରଥମ ସପ୍ତାହରୁ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା କମିପାରେ। କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅନୁମାନ ଅନୁଯାୟୀ, ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିପାରେ।
ପ୍ରଫେସର ପଶୁପାଳକଙ୍କ କହିବା ଅନୁସାରେ, ଆସନ୍ତା ୨୬ ତାରିଖ ସୁଦ୍ଧା ମୌସୁମୀ କେରଳ ଉପକୂଳ ଛୁଇଁପାରେ। ସେହିପରି ୨୪ ଓ ୨୫ ତାରିଖ ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ଗତି କରିପାରେ ଏବଂ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ଏହାର ପ୍ରଭାବରେ ଉତ୍ତର ପୂର୍ବ ଭାରତ ଦିଗକୁ ମୌସୁମୀ ଆଗେଇବା ସମ୍ଭାବନା ରହିଛି।
ତେବେ ରାଜ୍ୟରେ ବର୍ତ୍ତମାନ ଲାଗି ରହିଥିବା ତୀବ୍ର ଗ୍ରୀଷ୍ମ ପ୍ରକୋପ ଆଉ କିଛିଦିନ ଜାରି ରହିବ। ୨୬ ତାରିଖ ପରେ ଉପକୂଳ ଅଞ୍ଚଳରେ କାଳବୈଶାଖୀ ବର୍ଷା କିଛି ରାହାତ ଦେଇପାରେ, କିନ୍ତୁ ପଶ୍ଚିମ ଓଡ଼ିଶାରେ ମୌସୁମୀ ଆସିବା ପର୍ଯ୍ୟନ୍ତ ଗରମର ପ୍ରକୋପ ଅଧିକ ରହିବା ସମ୍ଭାବନା ରହିଛି। ଏହାସହ ଜୁନ୍ ୧ କିମ୍ବା ୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କିମ୍ବା ମୌସୁମୀ ଟ୍ରଫ ସୃଷ୍ଟି ହୋଇ ରାଜ୍ୟରେ ପ୍ରାକ୍ ମୌସୁମୀ ପରିସ୍ଥିତିକୁ ଆହୁରି ସକ୍ରିୟ କରିପାରେ।

