ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଷଡ଼ଯନ୍ତ୍ର! ଇରାନ ସମର୍ଥିତ ନେଟୱାର୍କର ପର୍ଦ୍ଦାଫାଶ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଚମକାଇଦେବା ଭଳି ସୂଚନା ସାମ୍ନାକୁ ଆସିଛି। ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଆମେରିକୀୟ ତଦନ୍ତ ଏଜେନ୍ସି ଦାବି କରିଛି। ତଦନ୍ତରେ ଜଣାପଡ଼ିଛି ଯେ ଇରାନ ସମର୍ଥିତ ଆତଙ୍କବାଦୀ ନେଟୱାର୍କ ଏହି ଯୋଜନା ପଛରେ ଥିଲା ଏବଂ ଟ୍ରମ୍ପ ପରିବାରକୁ ଟାର୍ଗେଟ କରାଯାଇଥିଲା।
ଅଭିଯୋଗ ଅନୁସାରେ, ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ(IRGC) ସହ ଜଡିତ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଇଭାଙ୍କାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଆମେରିକୀୟ ଏଜେନ୍ସି ତାଙ୍କୁ ଗିରଫ କରିଥିବାବେଳେ ପଚରାଉଚରା ସମୟରେ ସେ ଅନେକ ଚମକପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଡ୍ରୋନ ଆକ୍ରମଣରେ ନିହତ ଇରାନୀ ସେନା କମାଣ୍ଡର କାସେମ ସୋଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସେ ଏହି ଷଡ଼ଯନ୍ତ୍ର ରଚିଥିଲେ। IRGCରେ ତାଲିମ ନେବା ପରେ ସେ ଆମେରିକାରେ ପହଞ୍ଚି ଯୋଜନାକୁ କାର୍ଯ୍ୟକରୀ କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।
ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଗିରଫ ସନ୍ଦିଗ୍ଧଙ୍କ ନାମ ମହମ୍ମଦ ବାକର ସାଦ ଦାଉଦ ଅଲ-ସାଦି ଏବଂ ସେ ଇରାକର ବାସିନ୍ଦା। ସୋଲେମାନୀଙ୍କୁ ସେ ନିଜର ଗୁରୁ ଭାବେ ମାନୁଥିଲେ ଏବଂ ତାଙ୍କ ମୃତ୍ୟୁ ପରଠାରୁ ଟ୍ରମ୍ପ ପରିବାରକୁ ଟାର୍ଗେଟ କରିଥିବା ତଦନ୍ତରୁ ଜଣାପଡ଼ିଛି। ଗୁଇନ୍ଦା ଏଜେନ୍ସିମାନେ ଦାବି କରିଛନ୍ତି ଯେ, ଏହି ଷଡ଼ଯନ୍ତ୍ରରେ ଇରାନ ସରକାର, ସେନା ଓ IRGCର ସମର୍ଥନ ଥିବା ସନ୍ଦେହ କରାଯାଉଛି।

