ଗ୍ରୀନ କାର୍ଡ ପାଇଁ ଭାରତୀୟଙ୍କୁ ବଡ଼ ଝଟକା! ଟ୍ରମ୍ପ ପ୍ରଶାସନର ନୂଆ ନିୟମରେ ପ୍ରଥମେ ଛାଡ଼ିବାକୁ ପଡିବ ଆମେରିକା
ଟ୍ରମ୍ପ ପ୍ରଶାସନର ନୂଆ ଇମିଗ୍ରେସନ ନୀତି ଆମେରିକାରେ ସ୍ଥାୟୀ ବାସସ୍ଥାନର ସ୍ୱପ୍ନ ଦେଖୁଥିବା ହଜାର ହଜାର ଭାରତୀୟଙ୍କ ପାଇଁ ବଡ଼ ଝଟକା ଆଣିଛି। ନୂତନ ନିୟମ ଅନୁଯାୟୀ, ଗ୍ରୀନ କାର୍ଡ ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନେ ଆଉ ଆମେରିକାରେ ରହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ ନାହିଁ। ଆମେରିକା ନାଗରିକତା ଓ ପ୍ରବାସନ ସେବା (USCIS) ଘୋଷଣା କରିଛି ଯେ, ଅସ୍ଥାୟୀ ଭିସାରେ ଥିବା ଲୋକମାନଙ୍କୁ ପ୍ରଥମେ ନିଜ ଦେଶକୁ ଫେରିବାକୁ ପଡିବ ଏବଂ ସେଠାରୁ ଇମିଗ୍ରେଣ୍ଟ ଭିସା ପାଇଁ ଆବେଦନ କରିବାକୁ ହେବ।
ଏହି ନିଷ୍ପତ୍ତିର ସବୁଠାରୁ ବଡ଼ ପ୍ରଭାବ H-1B ଭିସାଧାରୀ, ଆନ୍ତର୍ଜାତୀୟ ଛାତ୍ର ଏବଂ ଅସ୍ଥାୟୀ ଭିସାରେ ରହୁଥିବା ବିଦେଶୀଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ସେମାନେ ଆମେରିକାରେ ରହି ସ୍ଥାୟୀ ବାସସ୍ଥାନ ପାଇଁ ଆବେଦନ କରିପାରୁଥିଲେ, କିନ୍ତୁ ଏବେ ଏହାକୁ ସାଧାରଣ ପ୍ରକ୍ରିୟା ଭାବେ ନୁହେଁ, ବରଂ “ଅସାଧାରଣ ଆଶ୍ୱସ୍ତି” ଭାବରେ ଦେଖାଯିବ। USCIS ଅଧିକାରୀମାନଙ୍କୁ ପ୍ରତ୍ୟେକ ମାମଲାକୁ ଅଲଗା ଭାବରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆମେରିକାର ଗୃହ ସୁରକ୍ଷା ବିଭାଗ କହିଛି ଯେ, ଏହି ନୂଆ ନୀତି ଦେଶର ପ୍ରବାସନ ବ୍ୟବସ୍ଥାକୁ ଆଇନ ଅନୁଯାୟୀ ଚାଲିବାରେ ସହାୟକ ହେବ ଏବଂ ଏହାର ଅପବ୍ୟବହାରକୁ ରୋକିବ। ତେବେ ଏହି ନିଷ୍ପତ୍ତି ଭାରତୀୟ ପ୍ରବାସୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପରିସଂଖ୍ୟାନ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ପ୍ରାୟ ୪୯,୭୦୦ ଭାରତୀୟ ଗ୍ରୀନ କାର୍ଡ ମାଧ୍ୟମରେ ଆମେରିକୀୟ ନାଗରିକତା ପାଇଥିଲେ ଏବଂ ଏହି ତାଲିକାରେ ଭାରତୀୟମାନେ ଦ୍ୱିତୀୟ ସର୍ବବୃହତ ଗୋଷ୍ଠୀ ଥିଲେ।

