Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ରରୁ ଓଡ଼ିଶାକୁ ଆସୁଛି ‘ପାଗଳ କୁକୁର’! ଆତଙ୍କରେ ଗାଁ ଲୋକେ, ଆଇନଜୀବୀ କହିଲେ- ଲାଗିବ ଦଫା

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ମହାନଳା ଗାଁରେ ପାଗଳ କୁକୁରଙ୍କ ଆତଙ୍କ ଏବେ ଚରମ ସୀମାରେ ପହଞ୍ଚିଛି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ହାତରେ ଠେଙ୍ଗା ବାଡ଼ି ଧରି ଘରୁ ବାହାରୁଛନ୍ତି। ଅଭିଯୋଗ ହେଉଛି, ଆନ୍ଧ୍ରପ୍ରଦେଶରୁ ରାତି ଅଧରେ କୁକୁର ଆଣି ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଛାଡ଼ି ଦିଆଯାଉଛି। ଗତ ୨୨ ତାରିଖରେ ଗାଁର ଜଣେ କୁନି ଶିଶୁକୁ ୪ରୁ ୫ଟି କୁକୁର ମିଶି ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି। ଏପରିକି ଶିଶୁଟିର ମୁଣ୍ଡର ଖପୁରିର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକ କହିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହା ପୂର୍ବରୁ ମଧ୍ୟ ଅନେକ ଲୋକ କୁକୁର ଆକ୍ରମଣରେ ଆହତ ହୋଇଛନ୍ତି। କିନ୍ତୁ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଇନଜୀବୀମାନେ କହିଛନ୍ତି ଯେ ଅନ୍ୟ ରାଜ୍ୟରୁ କୁକୁର ଆଣି ଛାଡ଼ିବା ସମ୍ପୂର୍ଣ୍ଣ ବେଆଇନ। ପଶୁ କ୍ରୁରତା ନିରୋଧ ଅଧିନିୟମ, ୧୯୬୦ ଏବଂ ଆନିମଲ ବର୍ଥ କଣ୍ଟ୍ରୋଲ ରୁଲ୍ସ ୨୦୨୩ ଅନୁଯାୟୀ ଏପରି କାର୍ଯ୍ୟ ଦଣ୍ଡନୀୟ ଅପରାଧ ବୋଲି ସେମାନେ କହିଛନ୍ତି।

ଆଇନଜୀବୀମାନଙ୍କ ମତରେ, ବୁଲା କୁକୁରଙ୍କୁ ଯେଉଁ ଅଞ୍ଚଳରୁ ଧରାଯାଏ ସେଠାରେ ହିଁ ପୁନର୍ବାର ଛାଡ଼ିବାକୁ ନିୟମ ରହିଛି। ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ସମ୍ପୂର୍ଣ୍ଣ ନିଷିଦ୍ଧ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏପରି ବେଆଇନ ସ୍ଥାନାନ୍ତରଣକୁ ନେଇ କଡ଼ା ମତ ପ୍ରକାଶ କରିଛନ୍ତି। ଏହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ ହେଉଥିବା ଆଇନଜୀବୀମାନେ କହିଛନ୍ତି। ଏବେ ଗ୍ରାମବାସୀ ଓ ସମାଜସେବୀମାନେ ତୁରନ୍ତ ପଦକ୍ଷେପ ନେଇ ହିଂସ୍ର କୁକୁରମାନଙ୍କୁ ଗାଁରୁ ହଟାଇବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ