Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁରରେ ପୁଣି ରକ୍ତରଞ୍ଜିତ ଆକ୍ରମଣ, ରାସ୍ତା ଉପରେ ଯୁବକଙ୍କୁ ହତ୍ୟା ଉଦ୍ୟମ

ବ୍ରହ୍ମପୁର ସହରରେ ଅପରାଧୀଙ୍କ ଦୌରାତ୍ମ୍ୟ କମିବାର ନାଁ ନେଉନି। ସପ୍ତାହକ ମଧ୍ୟରେ ଦୁଇଟି ପୋଲିସ ଏନକାଉଣ୍ଟର୍ ହୋଇଥିଲେ ମଧ୍ୟ ଅପରାଧୀମାନେ ଭୟଭୀତ ନହୋଇ ଖୁଲମଖୁଲା ଭାବେ ଆକ୍ରମଣ ଜାରି ରଖିଛନ୍ତି। ରବିବାର ରାତିରେ ବଡ଼ବଜାର ଥାନା ଅଞ୍ଚଳର ଅମ୍ବିକାନଗରରେ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସାମ୍ନାରେ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା ଉଦ୍ୟମ କରାଯାଇଛି।

ଆହତ ଯୁବକଙ୍କ ନାମ ମଙ୍ଗଳା ବେହେରା ବୋଲି ଜଣାପଡ଼ିଛି। ସେ ହରିଡାଖଣ୍ଡି ଜାଇମିଲ୍ ଅଞ୍ଚଳର ବାସିନ୍ଦା। ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ସମୟରେ ମଙ୍ଗଳା ଫାଷ୍ଟଫୁଡ୍ ଖାଇବା ପାଇଁ ଅମ୍ବିକାନଗର ଛକକୁ ଯାଇଥିବା ବେଳେ ୨ରୁ ୩ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ। ପରେ କାତି ଭଳି ଧାରାଳା ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଆକ୍ରମଣକାରୀମାନେ ମଙ୍ଗଳାଙ୍କୁ ରାସ୍ତା ଉପରେ ପକାଇ ଲଗାତାର ୧୦ରୁ ଅଧିକ ଚୋଟ ପକାଇଥିବା କୁହାଯାଉଛି। ଲହୁଲୁହାଣ ଅବସ୍ଥାରେ ସେ ଜୀବନ ଭିକ୍ଷା ମାଗୁଥିଲେ ମଧ୍ୟ ଆକ୍ରମଣକାରୀମାନେ ନିର୍ମମ ଭାବେ ମାଡ଼ ଜାରି ରଖିଥିଲେ। ଶେଷରେ ମଙ୍ଗଳା ଅଚେତ ହୋଇପଡ଼ିବା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଗୁରୁତର ଆହତ ମଙ୍ଗଳାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାର ଖବର ପାଇ ଏସ୍‌ପି ଡା. ଶରବଣା ବିବେକ ଏମ୍‌ ନିଜେ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରୁଛି। ଆକ୍ରମଣକାରୀମାନେ ପୂର୍ବରୁ ମଙ୍ଗଳାଙ୍କ ଚଳଚଳନ ଉପରେ ନଜର ରଖିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳା ପୂର୍ବରୁ ଏକ ବୋମାମାଡ଼ ମାମଲାରେ ଜେଲ୍‌ରେ ଥିଲେ ଏବଂ ମାତ୍ର ୪ ଦିନ ତଳେ ଜାମିନରେ ବାହାରିଥିଲେ।

ଘଟଣା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ତଦନ୍ତ ଜୋରଦାର କରିଛି। ତେବେ ସହରରେ ଲଗାତାର ଘଟୁଥିବା ଏଭଳି ହିଂସାତ୍ମକ ଘଟଣା ସାଧାରଣ ଲୋକଙ୍କ ମନରେ ଭୟର ପରିବେଶ ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ