Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥାନା ଭିତରେ ହଙ୍ଗାମା: କାର୍ ଚାଳକଙ୍କୁ ମାଡ଼, ଗାଡ଼ି ଭଙ୍ଗାରୁଜା; ୮ ଯୁବକ ଅଟକ

ବାରିପଦା: ବାରିପଦା ଟାଉନ୍ ଥାନା ପରିସରରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଗାଡ଼ି ସାଇଡ୍ ଦେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ପରେ କିଛି ଯୁବକ ଥାନା ଭିତରକୁ ପଶି କାର୍ ଚାଳକଙ୍କୁ ନିର୍ଘାତ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ପକ୍ଷ ମଧ୍ୟରେ ମାଡ଼ମାରି ଓ ଧସ୍ତାଧସ୍ତି ହୋଇଥିଲା।

ସୂଚନା ଅନୁସାରେ, ବାରିପଦାର କିଛି ଯୁବକ ଦେବକୁଣ୍ଡରୁ କାର୍ ଯୋଗେ ଫେରୁଥିବା ବେଳେ ପୋଡ଼ାଅସ୍ତିଆ ଛକ ନିକଟରେ ଅନ୍ୟ ଏକ ଯୁବକ ଗୋଷ୍ଠୀ ସହ ସାଇଡ୍ ମାରିବାକୁ ନେଇ ବଚସା ହୋଇଥିଲା। ପରେ କାର୍ ଚାଳକ ସେଠାରୁ ଚାଲି ଆସିଥିଲେ ମଧ୍ୟ ଅନ୍ୟ ଯୁବକମାନେ ଚାରିଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ କାର୍‌କୁ ଅଟକାଇ ସେମାନେ କାର୍ ଚାଳକଙ୍କୁ ମାଡ଼ ମାରିଥିଲେ। ଜୀବନ ବଞ୍ଚାଇବା ପାଇଁ କାର୍‌ରେ ଥିବା ଯୁବକମାନେ ଟାଉନ୍ ଥାନା ଭିତରକୁ ପଶି ଯାଇଥିଲେ। ତେବେ ଅଭିଯୁକ୍ତ ଯୁବକମାନେ ସେଠାରେ ମଧ୍ୟ ଥମି ନଥିଲେ। ସେମାନେ ଥାନା ପରିସରକୁ ପଶି କାର୍ ଚାଳକ ଓ ତାଙ୍କ ସହଯାତ୍ରୀଙ୍କୁ ଆକ୍ରମଣ କରିବା ସହ କାର୍‌ରେ ଭଙ୍ଗାରୁଜା କରିଥିଲେ।

ଘଟଣା ପରେ ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଏହି ମାମଲାରେ ଉଭୟ ପକ୍ଷରୁ ମୋଟ ୮ ଜଣ ଯୁବକଙ୍କୁ ଅଟକ ରଖାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଅତିରିକ୍ତ ଏସ୍‌ପି ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ