ତାତିରେ ବ୍ରେକ୍, ସମଗ୍ର ଓଡ଼ିଶାରେ କାଳବୈଶାଖୀ ଆଲର୍ଟ; ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିବାକୁ ଯାଉଛି। ଆଜି ସମଗ୍ର ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖାଦେବାକୁ ଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ଝଡ଼ୋ ପବନ ବହିବାର ସମ୍ଭାବନା ରହିଛି।
ଅନ୍ୟପଟେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ସହ ଉପକୂଳ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ଜାରି ରହିବା ନେଇ ସତର୍କ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ, ଘଡ଼ଘଡ଼ି ଓ ବର୍ଷା ହେବା ସହ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆକଳନ କରାଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଜାରି ରହିବ। ଆଗାମୀ ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିପାରେ। ତେବେ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ୪୨ରୁ ୪୪ ଡିଗ୍ରୀ ମଧ୍ୟରେ ରହିପାରେ। ଏହି ପରିସ୍ଥିତିରେ ଲୋକମାନଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

