ସିବଲ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ଆକ୍ରମଣ ହେଉଥିବା ଏପରି ଏକ ଦେଶରେ ରହିବାକୁ ତାଙ୍କୁ ଲଜ୍ଜା ଆସିୁଛି
କପିଲ ସିବଲଙ୍କ ‘ଲଜ୍ଜା’ ମନ୍ତବ୍ୟକୁ ନେଇ ରାଜନୀତି ତେଜ, ବିଜେପିର କଡ଼ା ପ୍ରତିକ୍ରିୟା
ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ତଥା ରାଜ୍ୟସଭା ସାଂସଦ କପିଲ ସିବଲଙ୍କ ମନ୍ତବ୍ୟ ପରେ ରାଜନୈତିକ ମହଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ସିବଲ କହିଥିଲେ ଯେ, ବିରୋଧୀ ଦଳର ନେତାମାନେ ଆକ୍ରମଣର ଶିକାର ହେଉଥିବା ଏଭଳି ଏକ ଦେଶରେ ରହିବାକୁ ତାଙ୍କୁ ଲଜ୍ଜା ଲାଗୁଛି। ଏହି ବୟାନକୁ ନେଇ ବିଜେପି ତୀବ୍ର ଆକ୍ରମଣ କରିଛି।
ବିଜେପି ନେତାମାନେ କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଓକିଲାତି କରି କୋଟି କୋଟି ଟଙ୍କା ଆୟ କରୁଥିବା କପିଲ ସିବଲ ଭାରତରେ ରହିବାକୁ ଲଜ୍ଜା ଲାଗୁଛି ବୋଲି କହିବା ଦୁର୍ଭାଗ୍ୟଜନକ। ସେହିପରି ୨୦୨୧ ମସିହାରେ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମୟରେ ସିବଲ କାହିଁକି ନୀରବ ରହିଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି।
ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଶାହଜାଦ ପୁନାୱାଲା କହିଛନ୍ତି, ବିଜେପିକୁ ବିରୋଧ କରିବା ଏକ କଥା, କିନ୍ତୁ ଦେଶକୁ ବିରୋଧ କରିବା ଆଉ ଏକ କଥା। ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଦେଶ ପ୍ରତି ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଅନ୍ୟପଟେ ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ କହିଛନ୍ତି, ସିବଲଙ୍କ ବୟାନ ଦେଶର କୋଟି କୋଟି ଭୋଟର ଏବଂ ଭାରତୀୟ ଗଣତନ୍ତ୍ର ପ୍ରତି ଅପମାନ ସଦୃଶ। ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।

