ଭୁବନେଶ୍ୱରରେ ଚାଞ୍ଚଲ୍ୟ: ସହପାଠୀଙ୍କୁ ଅପହରଣ କରି ଫସିଲେ ୨ ଛାତ୍ର, ୨ ଘଣ୍ଟାରେ ଉଦ୍ଧାର କଲା ପୁଲିସ
ଭୁବନେଶ୍ୱରରେ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଅପହରଣ କରି ୫୦ ହଜାର ଟଙ୍କା ମୁକ୍ତିପଣ ଦାବି ଘଟଣାରେ କମିଶନରେଟ୍ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ୨ ଜଣ ଛାତ୍ର ମଧ୍ୟ ରହିଛନ୍ତି। ଅପହୃତ ଛାତ୍ର ବିଶ୍ୱଜିତ ପ୍ରଧାନଙ୍କୁ ଘଟଣାର ମାତ୍ର ୨ ଘଣ୍ଟା ମଧ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ୨୨ ବର୍ଷୀୟ ବିଶ୍ୱଜିତ ପ୍ରଧାନ ସେହି ବିଶ୍ୱବିଦ୍ୟାଳୟର ଚତୁର୍ଥ ବର୍ଷ ବିଏସ୍ସି ନର୍ସିଂ ଛାତ୍ର। ମଙ୍ଗଳବାର ଦିନ ପ୍ରାୟ ୧ଟା ବେଳେ କ୍ୟାମ୍ପସରୁ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଭରତପୁର ଥାନା ପୁଲିସ ପାଇଥିଲା। ଅଭିଯୁକ୍ତମାନେ ତାଙ୍କ ମୁକ୍ତି ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ। ଖବର ପାଇବା ପରେ ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସିସିଟିଭି ଫୁଟେଜ୍, କଲ୍ ଡିଟେଲ୍ ରେକର୍ଡ ଏବଂ ଟେକ୍ନିକାଲ୍ ବିଶ୍ଳେଷଣ ଆଧାରରେ ଅଭିଯୁକ୍ତମାନଙ୍କ ଗତିବିଧିକୁ ଟ୍ରାକ୍ କରାଯାଇଥିଲା।
ଟେକ୍ନିକାଲ୍ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଆୟୁର୍ବେଦିକ କଲେଜ ଅଞ୍ଚଳ ନିକଟରେ ଥିବା ଏକ ଭଡାଘର ଉପରେ ଚଢ଼ାଉ କରି ବିଶ୍ୱଜିତଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ସନ୍ଦୀପ କୁମାର ରାଉତ, ଋତିକ ମୁଦୁଲି, ଶୁଭମ ପ୍ରଧାନ ଓ ବିଶ୍ୱାସ ନାୟକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କା, ଅପରାଧରେ ବ୍ୟବହୃତ ଗାଡ଼ି, ଏକ ଛୁରୀ, ରୋଷେଇ ସାମଗ୍ରୀ ଏବଂ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ପୁଲିସ ମାମଲା ରୁଜୁ କରି ଏହା ପଛରେ ଆଉ କୌଣସି ବଡ଼ ଷଡଯନ୍ତ୍ର ରହିଛି କି ନାହିଁ ସେନେଇ ତଦନ୍ତ ଜାରି ରଖିଛି।

