୫୧ ଆଘାତ, ସିଗାରେଟ୍ ଦାଗ; ଦେଢ଼ ବର୍ଷର ଶିଶୁକୁ ମାରିଦେଲା ମା’ର ପ୍ରେମିକ
କେରଳର ତିରୁଅନନ୍ତପୁରମ ଜିଲ୍ଲାର ପାନାଭୁର ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦେଢ଼ ବର୍ଷର ଶିଶୁ ଆର୍ଶିଦକୁ ତା’ର ମା’ଙ୍କ ଲିଭ୍-ଇନ୍ ପାର୍ଟନର ଆଶକର ନିର୍ମମ ଭାବେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁଟିର ଶରୀରରେ ୫୧ଟି ଆଘାତ ଚିହ୍ନ, ଗୁପ୍ତାଙ୍ଗରେ ଗଭୀର କ୍ଷତ ଏବଂ ପାଦରେ ସିଗାରେଟ୍ ଜଳା ଚିହ୍ନ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଛି।
ମେ’ ୨୯ ତାରିଖରେ ଶିଶୁଟିକୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅଭିଯୁକ୍ତ ଆଶକର କହିଥିଲେ ଯେ ଶିଶୁଟି ଖାଦ୍ୟ ଖାଇବା ବେଳେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲା। କିନ୍ତୁ ପରିବାର ଲୋକଙ୍କ ସନ୍ଦେହ ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ସତ୍ୟ ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତରେ ଜଣାପଡ଼ିଛି ଯେ ଗତ ଏକ ମାସ ଧରି ଶିଶୁଟି ଉପରେ ନିୟମିତ ନିର୍ଯାତନା ଚାଲିଥିଲା।
ପୁଲିସ ପଚରାଉଚରା ବେଳେ ଆଶକର ସ୍ୱୀକାର କରିଛି ଯେ ସେ ତିନି ମାସ ପୂର୍ବରୁ ଶିଶୁଟିକୁ ହତ୍ୟା କରିବାକୁ ଯୋଜନା କରିଥିଲା। ସେ ଶିଶୁଟିକୁ ନିଜ ଜୀବନ ଓ ସମ୍ପର୍କରେ ବାଧକ ବୋଲି ଭାବୁଥିଲା। ଅଭିଯୋଗ ଅନୁସାରେ, ଶିଶୁଟି କାନ୍ଦିଲେ ତା’ ମୁହଁରେ କପଡ଼ ଭରି ଦିଆଯାଉଥିଲା ଏବଂ ବିଭିନ୍ନ ବସ୍ତୁରେ ମାଡ଼ ମରାଯାଉଥିଲା। ଘଟଣା ପରେ ପ୍ରମାଣ ନଷ୍ଟ କରିବାକୁ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ଏକ ନାଳରେ ଫିଙ୍ଗି ଦିଆଯାଇଥିବା ମଧ୍ୟ ସେ ସ୍ୱୀକାର କରିଛି।
ଏହି ଘଟଣାରେ ଶିଶୁର ୨୧ ବର୍ଷୀୟା ମା’ ଅଖିଲା ଏବଂ ତାଙ୍କ ଲିଭ୍-ଇନ୍ ସାଥୀ ଆଶକରଙ୍କୁ ପୁଲିସ ଗିରଫ କରିଛି। ଉଭୟଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହିରାସତକୁ ପଠାଯାଇଛି। ଏହି ନିଷ୍ଠୁର ଘଟଣା ସମଗ୍ର କେରଳକୁ ସ୍ତବ୍ଧ କରିଦେଇଛି।

