କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ, ଜରୁରୀ ଶୁଣାଣିକୁ ମନା
କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଜୁନ୍ ୬ ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରଠାରେ ପ୍ରସ୍ତାବିତ ବିରୋଧ ପ୍ରଦର୍ଶନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ତେବେ ଶୁକ୍ରବାର ହାଇକୋର୍ଟ ଏହି ମାମଲାର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି।
‘ସେଭ୍ ଇଣ୍ଡିଆ ଫାଉଣ୍ଡେସନ୍’ ପକ୍ଷରୁ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଥିଲା ଯେ, ଏହି ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଆଇନଶୃଙ୍ଖଳା ପରିସ୍ଥିତି ପ୍ରଭାବିତ ହୋଇପାରେ। ଏଥିପାଇଁ ଆଇଜିଆଇ ବିମାନବନ୍ଦର, ମେଟ୍ରୋ ଷ୍ଟେସନ ଏବଂ ପ୍ରମୁଖ ରାଜପଥ ପ୍ରବେଶ ପଥରେ ତୁରନ୍ତ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ଆଦେଶ ଦେବାକୁ ଦାବି କରାଯାଇଥିଲା।
ଅବକାଶକାଳୀନ ବେଞ୍ଚର ନ୍ୟାୟମୂର୍ତ୍ତି ସୌରଭ ବାନାର୍ଜୀ ଏବଂ ଅମିତ ଶର୍ମାଙ୍କ ସମ୍ମୁଖରେ ଆବେଦନର ଜରୁରୀ ଶୁଣାଣି ପାଇଁ ଅନୁରୋଧ କରାଯାଇଥିଲା। ତେବେ କୋର୍ଟ ଏହାକୁ ତୁରନ୍ତ ଶୁଣାଣି ଯୋଗ୍ୟ ମନେ ନକରି ଆବେଦନକୁ ଗ୍ରହଣ କରିନଥିଲେ।
ସୂଚନାଯୋଗ୍ୟ, କକ୍ରୋଚ୍ ଜନତା ପାର୍ଟି ଏନଇଇଟି ସହ ବିଭିନ୍ନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ଉଠାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜୁନ୍ ୬ରେ ଜନ୍ତରମନ୍ତରରେ ବିରୋଧ ପ୍ରଦର୍ଶନର ଆହ୍ୱାନ କରିଛି।

