କୁଏତ ବିମାନବନ୍ଦର ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ; ବାହାଘର ପାଇଁ ଘରକୁ ଫେରୁଥିଲେ ମନଜୁର
କୁଏତ ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ହୋଇଥିବା କଥିତ ଇରାନୀ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାର ୫୫ ବର୍ଷୀୟ ମନଜୁର ଅହମଦ। ସେ ପ୍ରାୟ ୩୦ ବର୍ଷ ଧରି କୁଏତରେ ଟେଲର୍ ଭାବେ କାମ କରୁଥିଲେ।
ପରିବାର ଲୋକଙ୍କ କହିବା ଅନୁସାରେ, ମନଜୁର ବୁଧବାର ଭାରତ ଫେରିବାକୁ ଥିଲେ। ପରିବାରର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସେ କୁଏତରୁ ମୁମ୍ବାଇ ଅଭିମୁଖେ ବିମାନ ଧରିବାକୁ ବିମାନବନ୍ଦର ଯାଇଥିଲେ। କିନ୍ତୁ ବିମାନବନ୍ଦରର ଟର୍ମିନାଲ-୧ ନିକଟରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ସେ ପ୍ରାଣ ହରାଇଥିବା ତାଙ୍କ ପୁଅ ମହମ୍ମଦ ଅନସ ସୂଚନା ଦେଇଛନ୍ତି।
ସରକାରୀ ଅଧିକାରୀଙ୍କ ମାଧ୍ୟମରେ ପରିବାର ଏହି ଦୁଃଖଦ ଖବର ପାଇଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭାରତ ଫେରି ପରିବାର ସହ ଖୁସିର ମୁହୂର୍ତ୍ତ କାଟିବା ପୂର୍ବରୁ ମନଜୁରଙ୍କ ମୃତ୍ୟୁ ତାଙ୍କ ପରିବାର ପାଇଁ ଏକ ବଡ଼ ଆଘାତ ହୋଇଛି।

