ଟିଏମସିରେ ବଡ଼ ବିଦ୍ରୋହ; ୮୦ ବିଧାୟକଙ୍କ ମଧ୍ୟରୁ ୫୮ ବିଦ୍ରୋହୀ, ମମତାଙ୍କ ବୈଠକରେ ପହଞ୍ଚିଲେ ମାତ୍ର ୮ ଜଣ
ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ନିଜ ଅସ୍ତିତ୍ୱର ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ମେ ୪ରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଦଳ ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ମାତ୍ର ୮୦ଟି ଆସନ ଜିତିଥିଲା। ଏବେ ଦଳର ୫୮ ଜଣ ବିଧାୟକ ଖୋଲାଖୋଲି ବିଦ୍ରୋହ କରି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ଦାବି ଉପସ୍ଥାପନ କରିଛନ୍ତି, ଯାହା ଦଳକୁ ଦୁଇ ଫାଳ କରିଦେଇଛି।
ଏହି ସଙ୍କଟ ମଧ୍ୟରେ ଶୁକ୍ରବାର ମମତା ବାନାର୍ଜୀଙ୍କ ବାସଭବନରେ ଡକାଯାଇଥିବା ବୈଠକରେ ଦଳର ଅବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ମାତ୍ର ୮ ଜଣ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ମଦନ ମିତ୍ର, ଫିରହାଦ ହାକିମ, କୁନାଲ ଘୋଷ ଓ ବିମାନ ବାନାର୍ଜୀଙ୍କ ଭଳି ନେତା ଥିଲେ। ଏହାସହ ୬ ଜଣ ସାଂସଦ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଟିଏମସିର ଲୋକସଭାରେ ୨୮ ଏବଂ ରାଜ୍ୟସଭାରେ ୧୩ ଜଣ ସାଂସଦ ଅଛନ୍ତି।
ବିଦ୍ରୋହର ନେତୃତ୍ୱ ଦେଉଛନ୍ତି ଦଳରୁ ବହିଷ୍କୃତ ବିଧାୟକ ରିତବ୍ରତ ବାନାର୍ଜୀ। ସେ ବୁଧବାର ବିଧାନସଭା ବାଚସ୍ପତିଙ୍କ ସହ ବୈଠକ ପରେ ନିଜକୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରିଥିଲେ। ମମତା ବାନାର୍ଜୀ ୩୦ ବର୍ଷ ପୂର୍ବେ କଂଗ୍ରେସରୁ ଅଲଗା ହୋଇ ଟିଏମସି ଗଠନ କରିଥିଲେ। ବର୍ତ୍ତମାନର ଏହି ବିଦ୍ରୋହକୁ ଦଳର ପ୍ରଥମ ବଡ଼ ବିଭାଜନ ଭାବେ ଦେଖାଯାଉଛି। ବିଶେଷକରି ଦଳର ୩୪ ଜଣ ମୁସଲିମ ବିଧାୟକଙ୍କ ମଧ୍ୟରୁ ପ୍ରାୟ ଅଧା ରିତବ୍ରତଙ୍କୁ ସମର୍ଥନ କରିଥିବା ଜଣାପଡ଼ିଛି।

