Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥଯାତ୍ରା ବ୍ୟବସ୍ଥାବଳୀକୁ ମୋହର; ନୀଳାଦ୍ରି ବିଜେ ପରେ ହେବ ରତ୍ନଭଣ୍ଡାର ଗଣତିମଣତି

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ଓ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ନୀଳାଦ୍ରି ବିଜେ ପରେ ପୁଣିଥରେ ଗଣତିମଣତି ଆରମ୍ଭ ନେଇ ନିଷ୍ପତ୍ତି ନିଆଯିବ। ବଡ଼ ଆକାରର ଅଳଙ୍କାରଗୁଡ଼ିକର ଓଜନ ମାପ, ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଭିତର ଭଣ୍ଡାରରେ ସମ୍ଭବ ନହେବାରୁ ସେଗୁଡ଼ିକୁ ଖଟଶେଯଘରକୁ ଆଣି ଗଣତି କରାଯିବ ଏବଂ ନୂଆ ସିନ୍ଦୁକରେ ରଖାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ବୈଠକରେ ରଥଯାତ୍ରା ବ୍ୟବସ୍ଥାବଳୀକୁ ଚୂଡ଼ାନ୍ତ ମୋହର ଲାଗିଥିବା ବେଳେ ଅତିରିକ୍ତ ଚିଠା ଏସ୍‌ଓପିକୁ ମଧ୍ୟ ଅନୁମୋଦନ ମିଳିଛି। ବାହାର ରତ୍ନଭଣ୍ଡାରର ୬ଟି ତାଲା ମଧ୍ୟରୁ ଗୋଟିଏ ଖରାପ ହୋଇଥିବାରୁ ତାହାକୁ ବଦଳାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ଶ୍ରୀଜଗନ୍ନାଥଙ୍କ ଜମି ଦଖଲଦାରଙ୍କୁ ପ୍ରଦାନ ସମ୍ପର୍କିତ ୟୁନିଫର୍ମ ପଲିସି, ଶ୍ରୀମନ୍ଦିରର ଲୋଗୋ ମାର୍କ ପଞ୍ଜୀକରଣ ଓ ସେବକ ଗୁରୁକୁଳ ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି।

ଲୋକସମ୍ପର୍କ ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବା ପାଇଁ ଏକ ପ୍ରଫେସନାଲ୍ ଟିମ୍ ନିଯୁକ୍ତ କରାଯିବ। ଖୁବ୍‌ଶୀଘ୍ର ଏଫ୍‌ଏମ୍ ରେଡିଓ ଓ ୟୁଟ୍ୟୁବ୍ ଷ୍ଟୁଡିଓ ସ୍ଥାପନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ନରେନ୍ଦ୍ର ପୁଷ୍କରିଣୀ ନିକଟରେ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ଏକ ସ୍ଥାୟୀ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଛତିଶା ନିଯୋଗ ପକ୍ଷରୁ ପ୍ରସ୍ତୁତ ରଥଯାତ୍ରା ବ୍ୟବସ୍ଥାବଳୀକୁ ଚୂଡ଼ାନ୍ତ ଅନୁମୋଦନ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ