ଘରୋଇ ଏଲପିଜି ଦର ବୃଦ୍ଧି: ସିଲିଣ୍ଡର ପିଛା ୨୯ ଟଙ୍କା ମହଙ୍ଗା, ସାଧାରଣ ଲୋକଙ୍କୁ ବଡ଼ ଝଟକା
ଦରବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। କମର୍ସିଆଲ ଗ୍ୟାସ୍, ପେଟ୍ରୋଲ, ଡିଜେଲ ଓ ସିଏନଜି ଦର ବୃଦ୍ଧି ପରେ ଏବେ ଘରୋଇ ଏଲପିଜି ସିଲିଣ୍ଡର ଦର ମଧ୍ୟ ବଢ଼ିଛି। ଶନିବାର ମଧ୍ୟରାତ୍ରରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ପିଛା ୨୯ ଟଙ୍କା ବୃଦ୍ଧି କରାଯାଇଛି। ନୂଆ ଦର ଅନୁଯାୟୀ ଦିଲ୍ଲୀରେ ଏକ ଘରୋଇ ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କାକୁ ବୃଦ୍ଧି ପାଇଛି।
ଗତ ତିନି ମାସ ମଧ୍ୟରେ ଘରୋଇ ଏଲପିଜି ଦରରେ ଏହା ଦ୍ୱିତୀୟ ବୃଦ୍ଧି। ଏହା ପୂର୍ବରୁ ମାର୍ଚ୍ଚ ୭ ତାରିଖରେ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରାଯାଇଥିଲା। ଫଳରେ ମାତ୍ର ତିନି ମାସରେ ଘରୋଇ ଗ୍ୟାସ୍ ଦର ୮୯ ଟଙ୍କା ବଢ଼ିଛି। ଏହି ବୃଦ୍ଧି ପରେ ଘରୋଇ ବଜେଟ୍ ଉପରେ ଅଧିକ ଚାପ ପଡ଼ିବ ବୋଲି ଗ୍ରାହକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ତୈଳ କମ୍ପାନିଗୁଡ଼ିକ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଓ ଯୁଦ୍ଧ ପରିସ୍ଥିତି ଯୋଗୁ ଆନ୍ତର୍ଜାତିକ ବଜାରରେ ତୈଳ ଓ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ଦେଶରେ ପେଟ୍ରୋଲ, ଡିଜେଲ, ସିଏନଜି ଓ ଏଲପିଜି ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହା ପୂର୍ବରୁ ମେ ଓ ଜୁନ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦର ମଧ୍ୟ ବଢ଼ାଯାଇଥିଲା।

