Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ଆଗରେ ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ; ଛାତ୍ରୀ ଓ ମା’ଙ୍କୁ କଟୁରି ଦେଖାଇ ବାହା ହେବାକୁ ଧମକ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକତରଫା ପ୍ରେମରେ ଅନ୍ଧ ହୋଇ ଜଣେ ଛାତ୍ର ଜଣେ ଛାତ୍ରୀ ଓ ତାଙ୍କ ମା’ଙ୍କୁ କଟୁରି ଦେଖାଇ ବାହା ହେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ନିଶାସକ୍ତ ଅବସ୍ଥାରେ ଅଭିଯୁକ୍ତ ଛାତ୍ର କଲେଜ ସମ୍ମୁଖ ରାସ୍ତାରେ ପ୍ରାୟ ଘଣ୍ଟାଏ ଧରି ଆତଙ୍କ ସୃଷ୍ଟି କରିଥିଲା।
ପୁଲିସ ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସଦର ଥାନା ମୀରପାଟଣା ଅଞ୍ଚଳର ଋତ୍ବିକରଞ୍ଜନ ଜେନା ନାମକ ଜଣେ +୩ ପ୍ରଥମ ବର୍ଷ ଛାତ୍ର ସପ୍ତାହେ ହେବ ସେହି କଲେଜର ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ କରିଆସୁଥିଲେ। ଛାତ୍ରୀ ଏଥିରେ ରାଜି ନ ହେବାରୁ ସେ ବାରମ୍ବାର ହଇରାଣ କରିବା, ଫୋନ୍‌ କରିବା ଓ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଭୟରେ ଛାତ୍ରୀ ତିନିଦିନ ଧରି କଲେଜ ଯାଉନଥିଲେ। ଶନିବାର ମା’ଙ୍କ ସହ କଲେଜ ଆସିଥିବାବେଳେ ଅଭିଯୁକ୍ତ ସେମାନଙ୍କୁ ଅଟକାଇ ବିବାହ ପ୍ରସ୍ତାବ ଦେଇଥିଲା।
ପ୍ରତିବାଦ କରିବାରୁ ଅଭିଯୁକ୍ତ ଉତ୍ତେଜିତ ହୋଇ ଛାତ୍ରୀଙ୍କ ମା’ଙ୍କୁ ମାଡ଼ ମାରିବା ସହ ଛାତ୍ରୀଙ୍କୁ ଆକ୍ରମଣ କରିଥିଲା। ପରେ କଟୁରି ବାହାର କରି ଛାତ୍ରୀଙ୍କ ବେକରେ ଲଗାଇ ବାହା ନ ହେଲେ ହତ୍ୟା କରିବାକୁ ଧମକ ଦେଇଥିଲା। ସ୍ଥାନୀୟ ଯୁବକମାନେ କୌଶଳକ୍ରମେ ତାଙ୍କୁ କାବୁ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗିରଫ କରିଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିବାବେଳେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ