ଝାରସୁଗୁଡ଼ାରେ ଆୟୋଜିତ ହେବ ଓୟୁଜେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପ୍ରସ୍ତୁତି ନେଇ ଜିଲ୍ଲା ଶାଖାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଝାରସୁଗୁଡ଼ା ୭/୬ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଭିଆଇପି ଗେଷ୍ଟ ହାଉସ ଠାରେ ରବିବାର ଦିନ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ଝାରସୁଗୁଡ଼ା ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଉପନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ବୈଠକର ମୁଖ୍ୟ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରୁ ୩୦ ତାରିଖ ମଧ୍ୟରେ ଝାରସୁଗୁଡ଼ା ସ୍ଥିତ ନବଦାସ ଅଡିଟୋରିୟମ୍ ଠାରେ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯିବ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଭ୍ୟ ମାନେ ସର୍ବ ସମ୍ମତି କ୍ରମେ ମତ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ରାଜ୍ୟ କମିଟିକୁ ବିଧିବଦ୍ଧ ଭାବେ ଅବଗତ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଛି। ସଙ୍ଗଠନକୁ ଅଧିକ ସକ୍ରିୟ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲା ସାଧାରଣ ସମ୍ପାଦକ ଭରତ ପାତ୍ର ସଙ୍ଗଠନର ବିଭିନ୍ନ ସମସ୍ୟା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ସଦସ୍ୟ ପ୍ୟାରିଲାଲ ଶ୍ରୀବାସ୍ତବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ବରିଷ୍ଠ ସଦସ୍ୟ ଅଜୟ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ବରାଡ଼ଙ୍କ ସମେତ ଜୀବନ ମହାନ୍ତି, ଶେଖର ବିଶି, ତ୍ରିଲୋଚନ ଦାଶ, ବନବାସୀ ଗୌଡ଼, ଭୁବନ କିଶୋର ତିୱାରୀ, ଡଃ ବିଜୟ ପଟ୍ଟନାୟକ, ଭୋପାଳ ବେହେରା, ଲକ୍ଷ୍ମୀକାନ୍ତ ସାହୁ, ଡିଲେଶ୍ୱର ବାଗ, ମହେନ୍ଦ୍ର କୁମାର ସାଏ, ବିଜୟ ସାହୁ, ସଞ୍ଜୟ ବାହୁ ବଳେନ୍ଦ୍ର, ସଂଗ୍ରାମ ସାଏ, ଆକୁଳି ବେହେରା, ଆଶ୍ରିତ କୁମାର ସାହୁ ଓ କଳ୍ପନା ବିଶ୍ୱାଳ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

