ଆମେରିକୀୟ ଘାଟି ଉପରେ ଇରାନର ପାଲଟା ଆକ୍ରମଣ! ବାହାରିନ୍ ଓ ଜୋର୍ଡାନକୁ ଟାର୍ଗେଟ, ପଶ୍ଚିମ ଏସିଆରେ ବଢ଼ିଲା ଯୁଦ୍ଧ ଆଶଙ୍କା
ପଶ୍ଚିମ ଏସିଆରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଦକ୍ଷିଣ ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଇରାନ ପାଲଟା ଜବାବ ଦେଇଥିବା ଦାବି କରିଛି। ଇରାନର ଇସ୍ଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପ୍ସ (IRGC) ଅନୁସାରେ, ବାହାରିନ୍ରେ ଥିବା ଆମେରିକାର ପଞ୍ଚମ ନୌବହିନୀ ଘାଟି ଉପରେ ଡ୍ରୋନ୍ ଆକ୍ରମଣ କରାଯାଇଥିବା ବେଳେ ଜୋର୍ଡାନର ଏକ ଆମେରିକୀୟ ବିମାନ ଘାଟିକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଏକ ବ୍ୟାପକ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି।
ଅନ୍ୟପଟେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) କହିଛି ଯେ, ହର୍ମୁଜ୍ ପ୍ରଣାଳୀ ଉପରେ ଏକ ଆମେରିକୀୟ ହେଲିକପ୍ଟରକୁ ଇରାନୀ ସେନା ଖସାଇ ଦେଇଥିବାରୁ ଆତ୍ମରକ୍ଷା ପାଇଁ ଆକ୍ରମଣ କରାଯାଇଥିଲା। ତେବେ ଇରାନର ଉପ-ବୈଦେଶିକ ମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଇରାନ ଜାଣିଶୁଣି କୌଣସି ଆମେରିକୀୟ ହେଲିକପ୍ଟରକୁ ଟାର୍ଗେଟ କରିନଥିଲା। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି, “ଆମେରିକା ଆମର ଧୈର୍ଯ୍ୟ ଓ ସଙ୍କଳ୍ପର ପରୀକ୍ଷା ନେଉଛି। ଆମ ଉପରେ ହେଉଥିବା କୌଣସି ଆକ୍ରମଣ କିମ୍ବା ଧମକର ଉତ୍ତର ନିଶ୍ଚିତ ଦିଆଯିବ।”
ଏହାରି ମଧ୍ୟରେ ଇସ୍ରାଏଲ-ଲେବାନନ ଓ ଗାଜା ସଂଘର୍ଷ ମଧ୍ୟ ଜାରି ରହିଛି। ଦକ୍ଷିଣ ଲେବାନନରେ ଇସ୍ରାଏଲୀ ଆକ୍ରମଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ବିଦେଶରେ ଚିକିତ୍ସା ପାଇଁ ୧୬,୫୦୦ରୁ ଅଧିକ ରୋଗୀଙ୍କୁ ବାହାରକୁ ଯିବାକୁ ନ ଦେଇ ଇସ୍ରାଏଲ ପରୋକ୍ଷ ଭାବେ ସେମାନଙ୍କ ଜୀବନକୁ ବିପଦରେ ପକାଇଛି। ଲଗାତାର ଆକ୍ରମଣ ଓ ପାଲଟା ଆକ୍ରମଣ ମଧ୍ୟରେ ପଶ୍ଚିମ ଏସିଆର ପରିସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେଉଛି।

