୧୨ ବର୍ଷର ରେକର୍ଡ: ଦେଶର ସବୁଠୁ ଦୀର୍ଘ ସମୟ ଧରି ଲଗାତାର କାର୍ଯ୍ୟରତ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ନୂଆ ରେକର୍ଡ ସ୍ଥାପନ କରିବାକୁ ଯାଉଛନ୍ତି। ୧୨ ବର୍ଷ ପୂର୍ଣ୍ଣ କରି ସେ ଦେଶର ସବୁଠୁ ଦୀର୍ଘ ସମୟ ଧରି ଲଗାତାର କାର୍ଯ୍ୟରତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଇତିହାସ ରଚିବେ। ବୁଧବାର ସୁଦ୍ଧା ମୋଦି ୪,୩୯୯ ଦିନ ଧରି ପ୍ରଧାନମନ୍ତ୍ରୀ ପଦରେ ରହିବେ। ଏହି ଅବସରରେ ଏନ୍ଡିଏ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।
୨୦୧୪ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିଥିବା ମୋଦି ସରକାର ଗତ ୧୨ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅନେକ ବଡ଼ ପଦକ୍ଷେପ ନେଇଛନ୍ତି। କଲ୍ୟାଣକାରୀ ଯୋଜନାର ଡିଜିଟାଲ ବିତରଣ, JAM ତ୍ରିମୂର୍ତ୍ତି (ଜନଧନ-ଆଧାର-ମୋବାଇଲ), UPI ବ୍ୟବସ୍ଥା, ରେଳ, ସଡ଼କ ଓ ବିମାନବନ୍ଦର ଭିତ୍ତିଭୂମିର ବିକାଶ, ପ୍ରତିରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ସରକାରର ମୁଖ୍ୟ ସଫଳତା ଭାବେ ଦେଖାଯାଉଛି। ଏହା ସହିତ କୋଭିଡ୍ ମହାମାରୀ ସମେତ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ସମୟରେ ମଧ୍ୟ ସରକାର ଦେଶକୁ ନେତୃତ୍ୱ ଦେଇଛି।
ସମ୍ପ୍ରତି ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପରେ ଏହି ମାଇଲଖୁଣ୍ଟ ଆସିଛି। ବୁଧବାର ହେବାକୁ ଥିବା ଏନ୍ଡିଏ ବୈଠକରେ ୭୨ ଜଣ ମେଣ୍ଟ ନେତା ଯୋଗଦେବେ। ବୈଠକରେ ମୋଦିଙ୍କ ନେତୃତ୍ୱ ଓ ସରକାରର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ଏକ ପ୍ରସ୍ତାବ ପାରିତ ହେବା ସହ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ମିଳିଛି।

