୫ ବର୍ଷରେ ପଞ୍ଚାୟତକୁ ୨୮,୮୬୫ କୋଟି: କେନ୍ଦ୍ର ଦେବ ୧୮,୭୧୫ କୋଟି, ରାଜ୍ୟ ଦେବ ୧୦,୧୫୦ କୋଟି
ଭୁବନେଶ୍ୱର: ଆସନ୍ତା ୫ ବର୍ଷରେ ଓଡ଼ିଶାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦଗୁଡ଼ିକ ପାଇଁ ବିପୁଳ ପାଣ୍ଠି ଆସିବାକୁ ଯାଉଛି। ଷୋଡ଼ଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ, ୨୦୨୬-୨୭ ରୁ ୨୦୩୦-୩୧ ମଧ୍ୟରେ କେନ୍ଦ୍ର ସରକାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ୧୮,୭୧୫ କୋଟି ଟଙ୍କା ଅନୁଦାନ ଦେବେ। ଏହା ସହ ରାଜ୍ୟର ଷଷ୍ଠ ଅର୍ଥ କମିସନ ସୁପାରିସ ଅନୁସାରେ ରାଜ୍ୟ ସରକାର ମଧ୍ୟ ୧୦,୧୫୦ କୋଟି ଟଙ୍କା ପ୍ରଦାନ କରିବେ। ଫଳରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ମୋଟ ୨୮,୮୬୫ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ହେବ।
କେନ୍ଦ୍ରରୁ ମିଳୁଥିବା ୧୮,୭୧୫ କୋଟି ଟଙ୍କା ମଧ୍ୟରୁ ୮୦ ପ୍ରତିଶତ ମୌଳିକ ଅନୁଦାନ ଏବଂ ୨୦ ପ୍ରତିଶତ ପ୍ରଦର୍ଶନ ଆଧାରିତ ଅନୁଦାନ ରହିଛି। ଏହି ପାଣ୍ଠି ଜଳ ପରିଚାଳନା, ପରିମଳ, କଠିନ ବର୍ଜ୍ୟ ପରିଚାଳନା ଓ ଗ୍ରାମୀଣ ଭିତ୍ତିଭୂମି ବିକାଶରେ ବ୍ୟୟ ହେବ। ତେବେ ପ୍ରଦର୍ଶନ ଆଧାରିତ ପାଣ୍ଠି ପାଇବା ପାଇଁ ପଞ୍ଚାୟତଗୁଡ଼ିକୁ ନିଜସ୍ୱ ରାଜସ୍ୱ ବୃଦ୍ଧି କରିବା ସହ ଆର୍ଥିକ ଶୃଙ୍ଖଳା ବଜାୟ ରଖିବାକୁ ପଡ଼ିବ। ଅନ୍ୟପକ୍ଷରେ ରାଜ୍ୟ ସରକାର ୬୦:୩୦:୧୦ ଅନୁପାତରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦକୁ ପାଣ୍ଠି ବଣ୍ଟନ କରିବାକୁ ସ୍ଥିର କରିଛନ୍ତି।
ବିଶେଷ କଥା ହେଉଛି, ଟ୍ରାଇବାଲ ସବ୍-ପ୍ଲାନ ଅଞ୍ଚଳର ପଞ୍ଚାୟତଗୁଡ଼ିକୁ ୩୦ ପ୍ରତିଶତ ଏବଂ ଆକାଂକ୍ଷୀ ବ୍ଲକଗୁଡ଼ିକୁ ୨୦ ପ୍ରତିଶତ ଅତିରିକ୍ତ ପାଣ୍ଠି ଦିଆଯିବ। ପଞ୍ଚଦଶ ଅର୍ଥ କମିସନ ତୁଳନାରେ ଏଥର ପ୍ରାୟ ୧୦ ହଜାର କୋଟି ଟଙ୍କା ଅଧିକ ମିଳିବାକୁ ଥିବାରୁ ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟରେ ଗତି ଆସିବ ବୋଲି ଆଶା କରାଯାଉଛି। ଜଳ ଯୋଗାଣ, ପରିମଳ, ରାସ୍ତା, ସ୍ଥାନୀୟ ଭିତ୍ତିଭୂମି ଓ ସାମୁଦାୟିକ ସମ୍ପଦର ବିକାଶରେ ଏହି ପାଣ୍ଠି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

