ବାଙ୍କେ ବିହାରୀ ମନ୍ଦିର ନିକଟରେ ଅଘଟଣ: ବାଲକୋନୀ ଛାତ ଭୁଶୁଡ଼ି ୯ ଆହତ, ୪ ଗୁରୁତର
ଉତ୍ତର ପ୍ରଦେଶର ବୃନ୍ଦାବନସ୍ଥିତ ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ମନ୍ଦିର ପାଖ ଗଳି ନମ୍ବର-୫ରେ ଥିବା ଏକ ପୁରୁଣା ଘରର ଜରାଜୀର୍ଣ୍ଣ ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୯ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ସୁଧୀର ଗୋସ୍ୱାମୀଙ୍କ ଘରର ଛଜ୍ଜା ପୂର୍ବରୁ ଫାଟ ସୃଷ୍ଟି ହୋଇ ଦୁର୍ବଳ ହୋଇପଡ଼ିଥିଲା। ସ୍ଥାନୀୟ ବାସିନ୍ଦା ଶିବକୁମାରଙ୍କ କହିବା ଅନୁଯାୟୀ, ଏକ ମାଙ୍କଡ଼ ଛଜ୍ଜା ଉପରକୁ ଡେଇଁବା ପରେ ଏହା ଭାଙ୍ଗି ପଡ଼ିଥିଲା। ଅନ୍ୟପଟେ, ଘଟଣା ସମୟରେ ଅଞ୍ଚଳରେ ପ୍ରବଳ ପବନ ବହୁଥିବାରୁ ଏହା ଦୁର୍ଘଟଣାର କାରଣ ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଛଜ୍ଜାର ମଲବା ଗଳିରେ ଛିଟିକି ପଡ଼ିବାରୁ ସେଠାରେ ଯାଉଥିବା ଶ୍ରଦ୍ଧାଳୁମାନେ ଆହତ ହୋଇଥିଲେ।
ଦୁର୍ଘଟଣା ପରେ ଅଞ୍ଚଳରେ ଆତଙ୍କ ଓ ଅଫରାତଫରୀ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଦୋକାନୀ ଓ ବାସିନ୍ଦାମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ି ଆହତମାନଙ୍କୁ ମଲବା ତଳୁ ବାହାର କରିଥିଲେ। ଖବର ପାଇ ପୁଲିସ ଓ ପ୍ରଶାସନିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଘଟଣା ପରେ ବାଙ୍କେ ବିହାରୀ ମନ୍ଦିର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଆଖପାଖର ପୁରୁଣା ଓ ଜରାଜୀର୍ଣ୍ଣ ଘରଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ।

