ପତିତପାବନ, ଆନନ୍ଦବଜାର ଓ ନୀଳଚକ୍ରକୁ ମିଳିଲା ଟ୍ରେଡମାର୍କ ସ୍ୱୀକୃତି, ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷାରେ ବଡ଼ ପଦକ୍ଷେପ
ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ‘ପତିତପାବନ’, ‘ଆନନ୍ଦବଜାର’ ଓ ‘ନୀଳଚକ୍ର’ ନାମକୁ ବୁଧବାର ଟ୍ରେଡମାର୍କ ସ୍ୱୀକୃତି ମିଳିଛି। ଇଣ୍ଡିଆ ଟ୍ରେଡମାର୍କ ରେଜେଷ୍ଟ୍ରି ପକ୍ଷରୁ ଏହି ତିନୋଟି ନାମ ଓ ଲୋଗୋକୁ ଆଇନଗତ ସ୍ୱୀକୃତି ଦିଆଯାଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି।
ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ମହାପ୍ରସାଦ, ପତିତପାବନ, ନୀଳଚକ୍ର ସମେତ ମୋଟ ୨୯ଟି ନାମ ଓ ପ୍ରତୀକର ଟ୍ରେଡମାର୍କ ପଞ୍ଜୀକରଣ ପାଇଁ ଆବେଦନ କରିଥିଲା। ସେଥିରୁ ଏପର୍ଯ୍ୟନ୍ତ ତିନୋଟିକୁ ଅନୁମୋଦନ ମିଳିଥିବାବେଳେ ଅନ୍ୟ ୨୬ଟି ଦରଖାସ୍ତ ବିଚାରାଧୀନ ରହିଛି। ମନ୍ଦିର ପ୍ରଶାସନର ଆଶା, ସେଗୁଡ଼ିକୁ ମଧ୍ୟ ଖୁବଶୀଘ୍ର ସ୍ୱୀକୃତି ମିଳିବ।
ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ନାମ ଓ ପ୍ରତୀକଗୁଡ଼ିକର ଅନଧିକୃତ ବ୍ୟବହାର ଏବଂ ବ୍ୟବସାୟିକ ଦୁରୁପଯୋଗ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ବିଭିନ୍ନ ସଂସ୍ଥା ଏହି ନାମଗୁଡ଼ିକୁ ବ୍ୟବହାର କରି ଭକ୍ତ ଓ ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହେଉଥିଲା। ଟ୍ରେଡମାର୍କ ସ୍ୱୀକୃତି ମିଳିବା ପରେ ଏହି ନାମ ଓ ପ୍ରତୀକଗୁଡ଼ିକର ଅପବ୍ୟବହାର ଉପରେ ଆଇନଗତ ଭାବେ ଅଙ୍କୁଶ ଲଗାଇବା ସମ୍ଭବ ହେବ ବୋଲି ପ୍ରଶାସନ କହିଛି।

