ସିଏମ୍ଓରୁ ଗାଏବ କନ୍ଧମାଳ ଦଙ୍ଗା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ରିପୋର୍ଟ; ଗୃହ ବିଭାଗର ଏଫ୍ଆଇଆର୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍ଓ)ରୁ ଦୁଇଟି ଅତ୍ୟନ୍ତ ସମ୍ବେଦନଶୀଳ ତଦନ୍ତ ରିପୋର୍ଟ ନିଖୋଜ ହୋଇଥିବା ଘଟଣା ନୂଆ ମୋଡ଼ ନେଇଛି। ଓଡ଼ିଶା ଗୃହ ବିଭାଗ ପକ୍ଷରୁ ବୁଧବାର କ୍ୟାପିଟାଲ ଥାନାରେ ଏଫ୍ଆଇଆର୍ ଦାଖଲ କରାଯାଇଛି। ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏହି ଅଭିଯୋଗ ଦାଖଲ କରିଛନ୍ତି।
ନିଖୋଜ ହୋଇଥିବା ଦୁଇଟି ରିପୋର୍ଟ ହେଲା ୨୦୦୮ ମସିହାର କନ୍ଧମାଳ ଦଙ୍ଗା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ଉପରେ ନ୍ୟାୟମୂର୍ତ୍ତି ଏ.ଏସ୍. ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ୨୦୧୬ ମସିହାର ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା ଉପରେ ରାଜସ୍ୱ ବିଭାଗୀୟ କମିଶନର (ଆର୍ଡିସି)ଙ୍କ ତଦନ୍ତ ରିପୋର୍ଟ। ଏହି ଦୁଇଟି ରିପୋର୍ଟ ସରକାରୀ ହେପାଜତରୁ ନିଖୋଜ ହୋଇଯାଇଥିବା ନେଇ ଗୃହ ବିଭାଗ ଗୁରୁତର ଅଭିଯୋଗ ଆଣିଛି।
ଏଫ୍ଆଇଆର୍ରେ ଉଲ୍ଲେଖ କରାଯାଇଛି ଯେ, ଗୃହ ବିଭାଗ ପକ୍ଷରୁ ନିୟମିତ ସରକାରୀ ପ୍ରକ୍ରିୟା ଅନୁସାରେ ଏହି ଦୁଇଟି ରିପୋର୍ଟ ସିଏମ୍ଓକୁ ପଠାଯାଇଥିଲା। ୨୦୨୪ ଜୁନ୍ ୪ ତାରିଖରେ, ବିଧାନସଭା ନିର୍ବାଚନ ଫଳାଫଳ ପରେ ସରକାର ପରିବର୍ତ୍ତନ ସମୟରେ ସିଏମ୍ଓରେ ଥିବା ଅନେକ ଫାଇଲ ଓ ରିପୋର୍ଟ ଗୃହ ବିଭାଗକୁ ଫେରସ୍ତ କରାଯାଇଥିଲା। ମାତ୍ର ଏହି ଦୁଇଟି ନ୍ୟାୟିକ ତଦନ୍ତ ରିପୋର୍ଟ ଫେରସ୍ତ ହୋଇନଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେଗୁଡ଼ିକର କୌଣସି ସନ୍ଧାନ ମିଳିନାହିଁ।
ଗୃହ ବିଭାଗ ଏହାକୁ ସନ୍ଦେହଜନକ ବୋଲି ଦର୍ଶାଇଛି। ଅଭିଯୋଗରେ କୁହାଯାଇଛି ଯେ, ସମାନ ସମୟରେ ପଠାଯାଇଥିବା ଅନ୍ୟ ସମସ୍ତ ଫାଇଲ ଫେରିଥିବା ବେଳେ କେବଳ ଏହି ଦୁଇଟି ରିପୋର୍ଟ ନିଖୋଜ ହେବା ପଛରେ ଉଦ୍ଦେଶ୍ୟମୂଳକ ଭାବେ ଲୁଚାଇ ରଖିବା, ହଟାଇ ଦେବା କିମ୍ବା ନଷ୍ଟ କରିବା ଭଳି କାର୍ଯ୍ୟ ଥାଇପାରେ। ତେଣୁ ଘଟଣାର ଗଭୀର ତଦନ୍ତ କରି ଦୋଷୀଙ୍କୁ ଚିହ୍ନଟ କରିବାକୁ ଦାବି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବତନ ବିଜେଡି ସରକାର ସମୟରେ ଏହି ଦୁଇଟି ତଦନ୍ତ ରିପୋର୍ଟ ସିଏମ୍ଓରୁ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବା ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନ ଦେଇଥିଲେ। ଏବେ ଏଫ୍ଆଇଆର୍ ରୁଜୁ ହେବା ପରେ ଘଟଣା ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।

