ଦିଲ୍ଲୀର ବହୁତଳ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ: ୩ ମୃତ, ୨ ଗୁରୁତର
ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଶୁକ୍ରବାର ଭୋର ସମୟରେ ଏକ ବହୁତଳ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୨୨ ବର୍ଷୀୟ ଯୁବକ ଏବଂ ଦୁଇ ଜଣ ମହିଳା ଥିବା ସୂଚନା ମିଳିଛି।
ଦିଲ୍ଲୀ ଅଗ୍ନିଶମ ବିଭାଗ ଅନୁଯାୟୀ, ରାତି ପ୍ରାୟ ୨ଟା ୩ ମିନିଟ୍ରେ ତୁଗଲକାବାଦର ଗଳି ନମ୍ବର-୧ରୁ ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିଥିଲା। ଗ୍ରାଉଣ୍ଡ ଫ୍ଲୋର ସହ ପାଞ୍ଚ ମହଲା ବିଶିଷ୍ଟ ଏହି କୋଠାର ପାର୍କିଂ ସ୍ଥାନରୁ ନିଆଁ ଆରମ୍ଭ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଶୀଘ୍ର ବ୍ୟାପି ଯାଇ ସାତଟି ଦୁଇଚକିଆ ଗାଡ଼ିକୁ ଗ୍ରାସ କରିଥିଲା, ଯାହା ମଧ୍ୟରେ ଚାର୍ଜିଂରେ ଥିବା ଏକ ଇଲେକ୍ଟ୍ରିକ୍ ସ୍କୁଟର ମଧ୍ୟ ଥିଲା।
ଘନ ଧୂଆଁ ସିଢ଼ି ଓ ଉପର ମହଲାଗୁଡ଼ିକରେ ବ୍ୟାପିଯିବାରୁ ଅନେକ ବାସିନ୍ଦା ଫସି ରହିଥିଲେ। ଅଗ୍ନିଶମ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ମୋଟ ୮ ଜଣଙ୍କୁ ଉଦ୍ଧାର କରିଥିଲେ। ଛାତ ଉପରକୁ ପଳାଇ ଯାଇଥିବା ଦୁଇ ଜଣ ଝିଅଙ୍କୁ ଉଦ୍ଧାର କରିବା ପାଇଁ ତାଲା ପଡ଼ିଥିବା ଗେଟ୍କୁ କାଟିବାକୁ ପଡ଼ିଥିଲା। ସମସ୍ତ ଆହତଙ୍କୁ ସଫଦରଜଙ୍ଗ ହସ୍ପିଟାଲ ଓ ଏମ୍ସ ଟ୍ରମା ସେଣ୍ଟରକୁ ପଠାଯାଇଥିଲା।
ଖବର ପାଇବା ମାତ୍ରେ ସ୍ଥାନୀୟ ପୁଲିସ, ଅଗ୍ନିଶମ ବାହିନୀ, CATS ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଡେଢ଼ ଘଣ୍ଟାର ଉଦ୍ୟମ ପରେ ସକାଳ ୩ଟା ୪୫ ମିନିଟ୍ରେ ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ଏବଂ ୪ଟା ବେଳକୁ ସମ୍ପୂର୍ଣ୍ଣ ଲିଭାଇ ଦିଆଯାଇଥିଲା। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

