Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମରେ ବାଧା ସାଜିବାରୁ ଓଟିପିସିଏଲ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ, ୧.୩୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ପ୍ରେମିକ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ଗ୍ରାମ ନିକଟରେ ଗତ ୮ ତାରିଖରେ ଓଟିପିସିଏଲ କର୍ମଚାରୀ ରାକେଶ କୁମାର ଦାସଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପ୍ରଥମେ ଏହି ଆକ୍ରମଣ ପଛରେ ଲୁଟ୍ କିମ୍ବା ଟଙ୍କାପଇସା ସମ୍ପର୍କିତ କାରଣ ଥିବା ସନ୍ଦେହ କରାଯାଉଥିଲା। ତେବେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଏହା ଏକ ପ୍ରେମଜନିତ ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟା ଉଦ୍ୟମ।

ତଦନ୍ତରେ ସାମ୍ନାକୁ ଆସିଛି ଯେ, ଭୁବନ ଥାନା ଅନ୍ତର୍ଗତ ଅରାସାହି ଗ୍ରାମର ଅରୁଣ କୁମାର ନାୟକ ନାମକ ଯୁବକଙ୍କ ପ୍ରେମ ସମ୍ପର୍କରେ ରାକେଶ ବାଧା ସୃଷ୍ଟି କରୁଥିଲେ। ଏହାକୁ ନେଇ ଅରୁଣ ରାକେଶଙ୍କୁ ହତ୍ୟା କରିବା ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କାର ସୁପାରୀ ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେ ସାତଜଣ ସୁପାରୀ କିଲରଙ୍କୁ ଅଗ୍ରୀମ ଭାବେ ୯୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ରାକେଶ ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।

ଏହି ଘଟଣାରେ ପୁଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଢୋକଟା ଗ୍ରାମର ଜିନୁ ପ୍ରଧାନ, ଜରାରପୁର ଗ୍ରାମର ରାଣା ପ୍ରତାପ ଦେହୁରୀ, କାବୁଲିପାଳର ଉତ୍ତମ ଭୋଇ ଏବଂ ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ସିପୁନ ନାଏକ। ଅନ୍ୟ ତିନିଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୮୯ ହଜାର ୪୦୦ ଟଙ୍କା ନଗଦ, ଚାରିଟି ମୋବାଇଲ ଫୋନ ଏବଂ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଫେରାର ଥିବା ଅନ୍ୟ ତିନିଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ