Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୪ ସ୍ଥାନର ଇଂରାଜୀ ବନାନ ବଦଳିବ, କ୍ୟାବିନେଟ୍‌ରେ ୮ ପ୍ରସ୍ତାବକୁ ମଞ୍ଜୁରି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗ ସମ୍ପର୍କିତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ଓଡ଼ିଶାର ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ଇଂରାଜୀ ବନାନ ସଂଶୋଧନ ପ୍ରସ୍ତାବ ପ୍ରମୁଖ ରହିଛି। ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ବିଶିଷ୍ଟ ସାହିତ୍ୟିକା ଡ. ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ୬୪ଟି ନାମର ସଂଶୋଧନ ପାଇଁ ସୁପାରିସ କରିଥିଲା। କ୍ୟାବିନେଟ୍ ମଞ୍ଜୁରି ପରେ ରାଜ୍ୟ ସରକାର ଏହାକୁ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇବେ।

ବୈଠକରେ ବନ୍ଦ ପଡ଼ିଥିବା ସମବାୟ ସୂତାକଳ ଓ ତନ୍ତ ୟୁନିଟ୍‌ଗୁଡ଼ିକର ବକେୟା ଋଣ ପରିଶୋଧ ପାଇଁ ୩୬୧.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଏହି ୟୁନିଟ୍‌ଗୁଡ଼ିକର ୨୬୧ ଏକର ଜମି ଇଡ୍‌କୋକୁ ହସ୍ତାନ୍ତର କରାଯାଇ ସେଠାରେ ନୂତନ ଶିଳ୍ପ ସ୍ଥାପନ ପାଇଁ ବ୍ୟବସ୍ଥା କରାଯିବ। ସେହିପରି କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ-ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ୍’ ଅଧୀନରେ ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତରେ ନୂତନ ଯୋଜନା କାର୍ଯ୍ୟକାରୀ ହେବ। ଏଥିରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବର୍ଷକୁ ୧୨୫ ଦିନର ନିଯୁକ୍ତି ଗ୍ୟାରେଣ୍ଟି ମିଳିବ। ଏହି ଯୋଜନା ଆସନ୍ତା ଜୁଲାଇ ୧ରୁ ଲାଗୁ ହେବ।

ଅନ୍ୟପଟେ, ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ବିବରଣୀ ଦାଖଲ ନିୟମକୁ ଆହୁରି କଡ଼ା କରାଯାଇଛି। ଏବେ ପ୍ରତିବର୍ଷ ଜାନୁଆରି ୩୧ ସୁଦ୍ଧା ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲ୍‌ ମାଧ୍ୟମରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଅସମ୍ପୂର୍ଣ୍ଣ, ଭ୍ରାନ୍ତିକର କିମ୍ବା ମିଥ୍ୟା ତଥ୍ୟ ଦେଲେ ମଧ୍ୟ କଠୋର ଦଣ୍ଡାତ୍ମକ ବ୍ୟବସ୍ଥା ନିଆଯିବ। ଏହାସହ ‘ଓଡ଼ିଶା ହସ୍ତଶିଳ୍ପ ଅମଲା ସେବା ନିୟମାବଳୀ-୨୦୨୬’କୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଉଲ୍ଲେଖଯୋଗ୍ୟ, ମୋହନ ମାଝୀ ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୋଟ ୩୦୧ଟି କ୍ୟାବିନେଟ୍ ପ୍ରସ୍ତାବ ଅନୁମୋଦନ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ