ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ ମୋଡ଼, ମୟୂରଭଞ୍ଜରୁ ପ୍ରେମିକ ଭୀମସେନ ଟୁଡୁ ଗିରଫ
ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ବଡ଼ ପଦକ୍ଷେପ ନେଇଛି। ଘଟଣାରେ ଚନ୍ଦ୍ରିକାଙ୍କ ପ୍ରେମିକ ତଥା ଓଏଏସ୍ ଅଧିକାରୀ ଭୀମସେନ ଟୁଡୁଙ୍କୁ ଶୁକ୍ରବାର ମୟୂରଭଞ୍ଜରୁ ଗିରଫ କରାଯାଇଛି। ଚନ୍ଦ୍ରିକାଙ୍କ ମୃତ୍ୟୁ ପଛରେ ଭୀମସେନଙ୍କ ଭୂମିକା ରହିଥିବା ନେଇ ଆରମ୍ଭରୁ ପରିବାର ଲୋକେ ଅଭିଯୋଗ କରିଆସୁଥିଲେ। ଘଟଣାର ତଦନ୍ତ ପାଇଁ ପୋଲିସ ଏକାଧିକ ଟିମ୍ ଗଠନ କରିଥିଲା ଏବଂ ଶେଷରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଗତ ୪ ତାରିଖରେ କାଠଯୋଡ଼ି ନଦୀରୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଭୀମସେନ ଓ ଅନ୍ୟ ଜଣେ ଯୁବତୀ ମିଳି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଚନ୍ଦ୍ରିକାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦିନର ପ୍ରେମ ସମ୍ପର୍କ ମଧ୍ୟରେ ଅନ୍ୟ ଜଣେ ଯୁବତୀ ଆସିବା ପରେ ଭୀମସେନ ଚନ୍ଦ୍ରିକାଙ୍କୁ ମାନସିକ ଭାବେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିକି ଚନ୍ଦ୍ରିକାଙ୍କ ରଙ୍ଗକୁ ନେଇ ଟିପ୍ପଣୀ କରି ବିବାହ ପାଇଁ ଅନୀହା ପ୍ରକାଶ କରୁଥିବା ମଧ୍ୟ ପରିବାର ଅଭିଯୋଗ କରିଛନ୍ତି। ତଦନ୍ତ ସମୟରେ ପୋଲିସ ଭୀମସେନ ଓ ଚନ୍ଦ୍ରିକାଙ୍କ ମା’ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ରେକର୍ଡିଂ ମଧ୍ୟ ଜବତ କରିଥିଲା।
ଏହି ମଧ୍ୟରେ ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ତାଙ୍କୁ ହତ୍ୟା କରାଯାଇଥିବାର ସ୍ପଷ୍ଟ ପ୍ରମାଣ ମିଳିନାହିଁ। ନଦୀ ପାଣିରେ ବୁଡ଼ିଯିବା ଯୋଗୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ତ୍ରିଶୂଳିଆ ସେତୁରୁ କାଠଯୋଡ଼ି ନଦୀକୁ ଖସି ପଡ଼ିବା ଫଳରେ ତାଙ୍କ ଛାତିରେ ଫ୍ରାକ୍ଚର ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଗିରଫ ପରେ ଭୀମସେନଙ୍କୁ ଜେରା କରି ପୋଲିସ ଘଟଣାର ପ୍ରକୃତ ସତ୍ୟ ଉଦ୍ଘାଟନ ପାଇଁ ତଦନ୍ତ ଜାରି ରଖିଛି।

