Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୨ ବର୍ଷୀୟ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ମୃତ୍ୟୁ; ଟିଭି, ଓଟିଟି ଓ ସିନେମା ଜଗତରେ ଥିଲେ ପରିଚିତ ମୁହଁ

ମୁମ୍ବାଇ: ଟେଲିଭିଜନ, ଓଟିଟି ଓ ବଲିଉଡ୍‌ର ଉଦୀୟମାନ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଅକାଳ ମୃତ୍ୟୁ ମନୋରଞ୍ଜନ ଜଗତକୁ ସ୍ତବ୍ଧ କରିଦେଇଛି। ମାତ୍ର ୨୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଖବର ପ୍ରଶଂସକ ଓ ସହକର୍ମୀମାନଙ୍କୁ ଗଭୀର ଶୋକାକୁଳ କରିଛି।

ସଞ୍ଚିତା ଟେଲିଭିଜନ ଜଗତରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ‘କୁମ୍କୁମ ଭାଗ୍ୟ’, ‘ୱାଗଲେ କି ଦୁନିୟା – ନୂଆ ପିଢ଼ି, ନୂଆ କାହାଣୀ’ ଭଳି ଲୋକପ୍ରିୟ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ। ଏହାଛଡ଼ା ‘ଦିଲୱାଲୀ ଦୁଲ୍ହା ଲେ ଯାଏଗୀ’ ଧାରାବାହିକରେ ‘ସୁକୁନ୍’ ଚରିତ୍ରରେ ମୁଖ୍ୟ ଭୂମିକା ନିଭାଇଥିଲେ।

ଟେଲିଭିଜନ ସହିତ ଓଟିଟି ମାଧ୍ୟମରେ ମଧ୍ୟ ସେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ‘କ୍ରାଇମ୍ ଆଜ କଲ୍’ ଏବଂ ‘ସାଇଲେନ୍ସ–୨: ଦ ନାଇଟ୍ ଆଉଲ୍ ବାର୍ ଶୁଟ୍‌ଆଉଟ୍’ ଭଳି ପ୍ରକଳ୍ପରେ କାମ କରିଥିଲେ। ବଲିଉଡ୍‌ରେ ସେ ଭିକି କୌଶଳ ଅଭିନୀତ ଐତିହାସିକ ଚଳଚ୍ଚିତ୍ର ‘ଛାଭା’ରେ ‘ତାରାବାଇ’ ଭୂମିକାରେ ନଜର ଆସିଥିଲେ।

ସୋସିଆଲ ମିଡିଆରେ ମଧ୍ୟ ସଞ୍ଚିତାଙ୍କ ବିଶେଷ ଲୋକପ୍ରିୟତା ଥିଲା। ଇନ୍‌ଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୧.୩୯ ଲକ୍ଷ ଅନୁସରଣକାରୀ ଥିଲେ। ସେ ନିୟମିତ ଭାବେ ନିଜ ବ୍ୟକ୍ତିଗତ ଓ ପେଶାଗତ ଜୀବନର ବିଭିନ୍ନ ମୁହୂର୍ତ୍ତ ପ୍ରଶଂସକମାନଙ୍କ ସହ ଭାଗ କରୁଥିଲେ।

ଭ୍ରମଣ, ଯୋଗ ଓ ଫିଟ୍‌ନେସ୍ ପ୍ରତି ତାଙ୍କର ବିଶେଷ ଆଗ୍ରହ ଥିଲା। ଗୋଆ, ଉଦୟପୁର ଓ ଜୟପୁର ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳୀରୁ ସେ ପ୍ରାୟତଃ ଫଟୋ ଓ ଭିଡିଓ ସେୟାର କରୁଥିଲେ। ଯୋଗାଭ୍ୟାସ ଏବଂ ସ୍ୱାସ୍ଥ୍ୟ ସଚେତନ ଜୀବନଶୈଳୀ ପାଇଁ ମଧ୍ୟ ସେ ପରିଚିତ ଥିଲେ।

ପୁଲିସ ସୂଚନା ଅନୁଯାୟୀ, ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ମହାରାଷ୍ଟ୍ରର ନାଲାସୋପାରା ପୂର୍ବ ଅଞ୍ଚଳରେ ଥିବା ନିଜ ବାସଭବନରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ ମଧ୍ୟ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର କାରଣ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

ସଞ୍ଚିତାଙ୍କ ଅକାଳ ବିୟୋଗରେ ଟେଲିଭିଜନ, ଓଟିଟି ଏବଂ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ