ଆମେରିକା-ଇରାନ ଚୁକ୍ତି: ଲେବାନନ, ହର୍ମୁଜ୍ ଓ ୟୁରେନିୟମ୍କୁ ନେଇ କଣ ରହିଛି ବଡ଼ ନିଷ୍ପତ୍ତି?
ଆମେରିକା ଓ ଇରାନ ମଧ୍ୟରେ ସମ୍ପାଦିତ ୧୪-ଦଫା ବୁଝାମଣା ସ୍ମାରକ (MoU) ସମ୍ପର୍କରେ ନୂଆ ସୂଚନା ସାମ୍ନାକୁ ଆସିଛି। ଚୁକ୍ତିର ପ୍ରଥମ ଦଫାରେ ଲେବାନନ ସମେତ ସମସ୍ତ ମୋର୍ଚ୍ଚାରେ ସାମରିକ କାର୍ଯ୍ୟକଳାପକୁ ତୁରନ୍ତ ଏବଂ ସ୍ଥାୟୀ ଭାବେ ବନ୍ଦ କରିବା ଉପରେ ସହମତି ପ୍ରକାଶ କରାଯାଇଛି। ଲେବାନନର ସାର୍ବଭୌମତ୍ୱ ଓ ଭୂଖଣ୍ଡ ଅଖଣ୍ଡତାକୁ ସମ୍ମାନ ଦେବା କଥା ମଧ୍ୟ ଏଥିରେ ଉଲ୍ଲେଖ ରହିଛି। ତେବେ ଚୁକ୍ତିରେ ଇସ୍ରାଏଲ କିମ୍ବା ହିଜବୁଲ୍ଲାର ନାମ ନଥିବାରୁ ଲେବାନନରେ ବାସ୍ତବରେ କିପରି ଯୁଦ୍ଧବିରତି କାର୍ଯ୍ୟକାରୀ ହେବ, ସେନେଇ ଅନିଶ୍ଚିତତା ରହିଛି।
ଚୁକ୍ତିର ଦ୍ୱିତୀୟ ଦଫାରେ ଆମେରିକା ଓ ଇରାନ ପରସ୍ପରର ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନକରିବାକୁ ରାଜି ହୋଇଛନ୍ତି। ଏହାକୁ ଇରାନରେ ଶାସନ ପରିବର୍ତ୍ତନ ପ୍ରସଙ୍ଗରେ ଆମେରିକାର ନରମ ଆଭିମୁଖ୍ୟର ସଙ୍କେତ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି। ଗତ କିଛି ମାସ ଧରି ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଚାପ ବଢ଼ିଥିବାବେଳେ, ଏହି ଚୁକ୍ତି ଉଭୟ ଦେଶ ମଧ୍ୟରେ ତିକ୍ତତା କମାଇବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଚୁକ୍ତିରେ କୁହାଯାଇଛି ଯେ, ଆମେରିକା ୩୦ ଦିନ ମଧ୍ୟରେ ନୌସେନା ଅବରୋଧ ହଟାଇବ ଏବଂ ଇରାନ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ ସହଯୋଗ କରିବ। ତେବେ ହର୍ମୁଜ୍ର ଭବିଷ୍ୟତ ପରିଚାଳନା ଓ ଜାହାଜ ଚଳାଚଳ ସେବା ପାଇଁ ଶୁଳ୍କ ଆଦାୟ ପ୍ରସଙ୍ଗ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଇରାନ ପୂର୍ବରୁ ଏହି ଜଳପଥ ଦେଇ ଯାଉଥିବା ଜାହାଜଠାରୁ ସେବା ଶୁଳ୍କ ନେବା ସଙ୍କେତ ଦେଇଥିବାବେଳେ, ଏହି ବିଷୟ ଆଗାମୀ ଆଲୋଚନାରେ ଗୁରୁତ୍ୱ ପାଇବ ବୋଲି ମନେ କରାଯାଉଛି।

