ଟେଲିଗ୍ରାମ୍ ବ୍ୟାନ୍ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
ନିଟ୍-ୟୁଜି ପୁନଃ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ଉପରେ ଲାଗିଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ନେଇ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଶୁଣାଣି ଶେଷ ହୋଇଛି। ଗୁରୁବାର ନ୍ୟାୟମୂର୍ତ୍ତି ତେଜସ କାରିଆଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି। କେନ୍ଦ୍ର ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଭାରତରେ ଟେଲିଗ୍ରାମ୍ ସେବାକୁ ସ୍ଥଗିତ ରଖିବା ନିଷ୍ପତ୍ତି ନେଇଥିବାବେଳେ, ଏହାକୁ ଚ୍ୟାଲେଞ୍ଜ କରି ଟେଲିଗ୍ରାମ୍ ପକ୍ଷରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା।
କେନ୍ଦ୍ର ସରକାର ଅଦାଲତରେ ଯୁକ୍ତି ରଖି କହିଛନ୍ତି ଯେ, ନିଟ୍ ପୁନଃ ପରୀକ୍ଷା ସମୟରେ ନକଲି ପ୍ରଶ୍ନପତ୍ର ପ୍ରଚାର ଓ ପେପର୍ ଲିକ୍ ସମ୍ପର୍କିତ ଗୁଜବକୁ ରୋକିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ଥିଲା। ସରକାର ଏହା ମଧ୍ୟ ଦାବି କରିଛନ୍ତି ଯେ, ଟେଲିଗ୍ରାମ୍ରେ ଅନେକ “ବେଆଇନ ଓ ସନ୍ଦେହଜନକ” ଚ୍ୟାନେଲ୍ ସକ୍ରିୟ ଥିଲେ ଏବଂ ସେଗୁଡ଼ିକ ବିରୋଧରେ ପ୍ଲାଟଫର୍ମ ପକ୍ଷରୁ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇନଥିଲା। ଏହାସହ ବିଭିନ୍ନ ଦେଶ ଟେଲିଗ୍ରାମ୍ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନର ତାଲିକା ମଧ୍ୟ ଅଦାଲତରେ ଉପସ୍ଥାପନ କରାଯାଇଛି।
ସୂଚନାଯୋଗ୍ୟ, ଜୁନ୍ ୨୧ରେ ନିଟ୍-ୟୁଜି ପୁନଃ ପରୀକ୍ଷା ହେବାକୁ ଥିବାବେଳେ କେନ୍ଦ୍ର ସରକାର ଟେଲିଗ୍ରାମ୍ର “ମେସେଜ୍ ଏଡିଟ୍” ସୁବିଧାକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଅଭିଯୋଗ ଅନୁସାରେ, କେତେକ ଅସାଧୁ ଗୋଷ୍ଠୀ ପୁରୁଣା ମେସେଜ୍କୁ ଏଡିଟ୍ କରି ପ୍ରଶ୍ନପତ୍ର ଲିକ୍ର ମିଥ୍ୟା ପ୍ରମାଣ ସୃଷ୍ଟି କରୁଥିଲେ। ଏବେ ହାଇକୋର୍ଟର ରାୟ ଉପରେ ଟେଲିଗ୍ରାମ୍ ବ୍ୟବହାରକାରୀଙ୍କ ନଜର ରହିଛି।

