କଂଗ୍ରେସ ସହ କିଏ କଲା ବିଶ୍ୱାସଘାତକତା? ତେଜସ୍ୱୀ ନା ହେମନ୍ତ ସୋରେନ୍, ଝାଡ଼ଖଣ୍ଡ ରାଜ୍ୟସଭା ଫଳାଫଳକୁ ନେଇ ଚର୍ଚ୍ଚା
ଝାଡ଼ଖଣ୍ଡ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଲାଗିଛି। ସଂଖ୍ୟାଗତ ଭାବେ ଆଗରେ ଥିବା ସତ୍ତ୍ୱେ ଇଣ୍ଡି ମେଣ୍ଟ ଦ୍ୱିତୀୟ ଆସନ ଜିତିବାରେ ବିଫଳ ହୋଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପ୍ରାର୍ଥୀ ବୈଦ୍ୟନାଥ ରାମ ୩୦ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ, ଏନଡିଏ ସମର୍ଥିତ ନିର୍ଦ୍ଦଳୀୟ ପ୍ରାର୍ଥୀ ପରିମଲ ନଥୱାନୀ ୨୮ ଭୋଟ୍ ପାଇ ଜିତିଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣବ ଝା ମାତ୍ର ୨୦ ଭୋଟ୍ ପାଇ ପରାଜିତ ହୋଇଛନ୍ତି।
୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଇଣ୍ଡି ମେଣ୍ଟ ପାଖରେ ୫୬ ବିଧାୟକ ଥିବାବେଳେ ଏନଡିଏ ପାଖରେ ୨୪ ବିଧାୟକ ଥିଲେ। ତଥାପି କଂଗ୍ରେସ ଆବଶ୍ୟକ ସମର୍ଥନ ପାଇପାରିନଥିବାରୁ କ୍ରସ୍ ଭୋଟିଂ ଅଭିଯୋଗ ଜୋର ଧରିଛି। ସୂତ୍ର ଅନୁଯାୟୀ, ଆରଜେଡି ଓ ସିପିଆଇ (ଏମଏଲ)ର କିଛି ବିଧାୟକ ପରିମଲ ନଥୱାନୀଙ୍କୁ ଭୋଟ୍ ଦେଇଥିବା ଚର୍ଚ୍ଚା ହେଉଛି। ଏହା ସହ କିଛି ଜେଏମଏମ୍ ବିଧାୟକଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ରାଜ୍ୟସଭା ଫଳାଫଳ ପରେ ଇଣ୍ଡି ମେଣ୍ଟ ଭିତରେ ଅସନ୍ତୋଷ ଓ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କଂଗ୍ରେସ ଶିବିରରେ ପ୍ରଶ୍ନ ଉଠୁଛି ଯେ, ଏହି ପରାଜୟ ପଛରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଦଳର ଭୂମିକା ରହିଛି ନା ଜେଏମଏମ୍ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଶିବିରରୁ କ୍ରସ୍ ଭୋଟିଂ ହୋଇଛି। ଏହି ଘଟଣା ଆଗାମୀ ଦିନରେ ଇଣ୍ଡି ମେଣ୍ଟର ଏକତା ଓ ରାଜନୈତିକ ସମୀକରଣ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି।

