ଫୁଟପାଥରେ ଚାଲିବା ମୌଳିକ ଅଧିକାର, ଆଇନ ପ୍ରଣୟନ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ
ଫୁଟପାଥରେ ସୁରକ୍ଷିତ ଭାବେ ଚାଲିବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି) ଓ ୨୧ ଅନୁସାରେ ଫୁଟପାଥରେ ଚାଲିବାର ଅଧିକାର ମୋଟର ଯାନ ଚଳାଚଳର ଅଧିକାରଠାରୁ ଅଧିକ ପ୍ରାଥମିକ। ଏହି ଅଧିକାରର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନର ଆବଶ୍ୟକତା ଥିବା ନେଇ କୋର୍ଟ ମତ ପ୍ରକାଶ କରିଛନ୍ତି।
ଜଷ୍ଟିସ୍ ପି.ଏସ୍. ନରସିମ୍ହା ଓ ଜଷ୍ଟିସ୍ ଅତୁଲ ଏସ୍. ଚାନ୍ଦୁରକରଙ୍କ ଖଣ୍ଡପୀଠ ଏକ ସଡ଼କ ଦୁର୍ଘଟଣା ମାମଲାର ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଥିଲେ। ସ୍କୁଲକୁ ଯାଉଥିବା ବେଳେ ଟ୍ୟାଙ୍କର ଧକ୍କାରେ ଜଣେ ୫ ବର୍ଷୀୟ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଶିଶୁର ପିତାଙ୍କୁ ମିଳିଥିବା ୪.୭୦ ଲକ୍ଷ ଟଙ୍କା କ୍ଷତିପୂରଣକୁ ବୃଦ୍ଧି କରି ସୁପ୍ରିମକୋର୍ଟ ୧୧.୪୪ ଲକ୍ଷ ଟଙ୍କା କରିଛନ୍ତି ଏବଂ ଦୁଇ ମାସ ମଧ୍ୟରେ ଏହା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଫୁଟପାଥରେ ଚାଲିବା ଅଧିକାରର ସୁରକ୍ଷା, ଉଲ୍ଲଂଘନ ହେଲେ ତ୍ୱରିତ ପ୍ରତିକାର ଏବଂ ଏହାର କାର୍ଯ୍ୟକାରୀ ରୂପାୟନ ପାଇଁ ଏକ ନିୟାମକ ସଂସ୍ଥା ଗଠନର ଆବଶ୍ୟକତା ଥିବା କୋର୍ଟ କହିଛନ୍ତି। ଏହି ପ୍ରସଙ୍ଗରେ ଗୃହ ଓ ସହରାଞ୍ଚଳ ବ୍ୟାପାର, ଗ୍ରାମୀଣ ବିକାଶ ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟ ସହ ଆଇନ ଆୟୋଗକୁ ରାୟର ନକଲ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

