ରାଉରକେଲାରେ ଡବଲ୍ ଏନକାଉଣ୍ଟର: ତୋଫାନ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ଗୁଳିବିଦ୍ଧ
ରାଉରକେଲାରେ ତୋଫାନ ବିନ୍ଧାଣୀ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ଚୁନୁ ହରିପା ଓ ନଣ୍ଡା ଓରଫ ସୁଶାନ୍ତ ପୁଲିସ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଛନ୍ତି। ଝିରପାଣି ଥାନା ଅଞ୍ଚଳରେ ଭୋର ସାଢେ ୩ଟା ବେଳେ ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସର ପାଲଟା ଗୁଳିରେ ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗତ ଜୁନ୍ ୧୬ ତାରିଖରେ ସେକ୍ଟର-୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟସ୍ଥ ଜଙ୍ଗଲରେ ଆର୍ଏମ୍ସି କର୍ମଚାରୀ ତୋଫାନ ବିନ୍ଧାଣୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଅଞ୍ଚଳରେ ନିଶା ସେବନକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣା ପରେ ସେକ୍ଟର-୭ ଥାନାରେ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାମେଶ୍ୱରପାଲି ଓ ନାରାୟଣପାଲି ବସ୍ତିର କିଛି ଯୁବକଙ୍କ ମଧ୍ୟରେ ନିଶା ସେବନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ଏକ ଗୋଷ୍ଠୀ ତୋଫାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ପୁଲିସ ତଦନ୍ତ ଜାରି ରଖିଛି।

