ଚାଷୀଙ୍କ ଖାତାକୁ ଗଲା ପିଏମ୍-କିଷାନର ୨୩ତମ କିସ୍ତି, ଓଡ଼ିଶାର ୩୪.୬୪ ଲକ୍ଷ କୃଷକ ପାଇଲେ ୬୯୨ କୋଟିରୁ ଅଧିକ ଟଙ୍କା
ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୩ତମ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପଶ୍ଚିମବଙ୍ଗର ହୁଗଳି ଜିଲ୍ଲା ତାରକେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଜାରି କରାଯାଇଛି।
ଏହି ଅବସରରେ ଦେଶର ୯ କୋଟି ୪୪ ଲକ୍ଷରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮,୮୮୦ କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର କରାଯାଇଛି। ସେଥିମଧ୍ୟରୁ ଓଡ଼ିଶାର ୩୪.୬୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ୬୯୨.୮୬ କୋଟି ଟଙ୍କା ଜମା ହୋଇଛି।
ପିଏମ୍-କିଷାନ ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ବର୍ଷକୁ ୬ ହଜାର ଟଙ୍କା ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଏ। ଏହି ଅର୍ଥକୁ ଚାଷୀମାନେ ବିହନ, ସାର, କୀଟନାଶକ ଏବଂ ଚାଷକାମ ପାଇଁ ଆବଶ୍ୟକ ଅନ୍ୟାନ୍ୟ ସାମଗ୍ରୀ କିଣିବାରେ ବ୍ୟବହାର କରିପାରିବେ।
ଅନ୍ନଦାତାଙ୍କ ସମ୍ମାନାର୍ଥେ ଏହି ଦିନକୁ ସାରା ଦେଶରେ ‘ରାଷ୍ଟ୍ରୀୟ କୃଷକ ଉତ୍ସବ ଦିବସ’ ଭାବେ ପାଳନ କରାଯାଇଛି।
ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ମହତାବ ଭବନ ଟାଉନ ହଲରେ ରାଜ୍ୟସ୍ତରୀୟ ପିଏମ୍-କିଷାନ ସହାୟତା ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଚାଷୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସେ କହିଥିଲେ ଯେ, ଓଡ଼ିଶା ସରକାର ରବି ଋତୁରେ ମଧ୍ୟ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କାରେ ଧାନ କ୍ରୟ କରୁଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ଚାଷୀମାନେ ଫଳ ଓ ପନିପରିବା ଉତ୍ପାଦନ କରି ବିଦେଶକୁ ରପ୍ତାନି କରିବାରେ ସଫଳ ହୋଇଛନ୍ତି ଏବଂ ଏହା ଦ୍ୱାରା ସେମାନଙ୍କ ଆୟ ବୃଦ୍ଧି ପାଇଛି।
“ଚାଷୀ ହସିଲେ ଦେଶ ହସିବ” ନାରାକୁ ସାକାର କରିବା ଦିଗରେ ଓଡ଼ିଶାର କୃଷକମାନେ ଉଲ୍ଲେଖନୀୟ ଭୂମିକା ନିଭାଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।

