ପ୍ରଧାନମନ୍ତ୍ରୀ ମୋ ଗାଁକୁ ଆସିଥିବାରୁ କୃତଜ୍ଞ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୟୂରଭଞ୍ଜର ପବିତ୍ର ମାଟିରେ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ରାଇରଙ୍ଗପୁର ଓ ତାଙ୍କ ଗାଁ ପାହାଡ଼ପୁରକୁ ପ୍ରଥମ ଗସ୍ତ। ୨୦୦୪ ମସିହାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ମୋଦୀ ରାଇରଙ୍ଗପୁର ଆସିଥିବା କଥା ସ୍ମରଣ କରି ରାଷ୍ଟ୍ରପତି କହିଥିଲେ, “ପ୍ରଧାନମନ୍ତ୍ରୀ ମୋର ଛୋଟ ଗାଁକୁ ଆସିଥିବାରୁ ମୁଁ କୃତଜ୍ଞ। ଏହା ଏହି ମାଟି ପ୍ରତି ତାଙ୍କର ଭଲପାଇବାର ପ୍ରତୀକ।”
ରାଷ୍ଟ୍ରପତି କହିଥିଲେ ଯେ ଆଜି ଓଡ଼ିଶା ଓ ମୟୂରଭଞ୍ଜ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି। ବିଶେଷକରି ଜନଜାତି ସମୁଦାୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନେକ ପଦକ୍ଷେପ ସ୍ଥାନୀୟ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ସେ ଆହୁରି କହିଥିଲେ ଯେ ନିଜ ଜନ୍ମମାଟି ଏବଂ ଅଞ୍ଚଳର ବିକାଶ ପାଇଁ ସେ ସବୁବେଳେ କାମ କରିଆସିଛନ୍ତି ଏବଂ ଆଗକୁ ମଧ୍ୟ କରିବେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ରାଷ୍ଟ୍ରପତି କହିଥିଲେ ଯେ ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନୀତି ଓ ଯୁଗାନ୍ତକାରୀ ପଦକ୍ଷେପ ଭାରତର ସମ୍ମାନକୁ ବିଶ୍ୱସ୍ତରରେ ବୃଦ୍ଧି କରିଛି। କୋଭିଡ୍ ମହାମାରୀ ସମୟରେ ବିଶ୍ୱର ବହୁ ଦେଶକୁ ଟିକା ଯୋଗାଇ ଭାରତ ମାନବିକତାର ଉଦାହରଣ ସୃଷ୍ଟି କରିଥିବା ସେ କହିଥିଲେ। ଏହାସହ ରାଜ୍ୟର ବିକାଶ ଓ ଲୋକକଲ୍ୟାଣ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସା କରିଥିଲେ।

