ଭାରତର ସବୁଠାରୁ ବଡ଼ IPO ପାଇଁ ମଞ୍ଚ ପ୍ରସ୍ତୁତ: ଜିଓ ପ୍ଲାଟଫର୍ମସ୍ ଦାଖଲ କଲା ଡ୍ରାଫ୍ଟ ପେପର୍, ମୂଲ୍ୟାୟନ ୧୨.୫ ଲକ୍ଷ କୋଟି ଟଙ୍କା
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସମର୍ଥିତ ଜିଓ ପ୍ଲାଟଫର୍ମସ୍ ଭାରତର ସବୁଠାରୁ ବଡ଼ IPO ପାଇଁ ପଦକ୍ଷେପ ନେଇଛି। କମ୍ପାନୀ ଶୁକ୍ରବାର ସେବି (SEBI) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (DRHP) ଦାଖଲ କରିଛି। ବଜାର ଆକଳନ ଅନୁସାରେ, ଜିଓ ପ୍ରାୟ ୩୬ ହଜାର କୋଟି ଟଙ୍କା ସଂଗ୍ରହ କରିପାରେ ଏବଂ କମ୍ପାନୀର ମୂଲ୍ୟାୟନ ୧୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ।
କମ୍ପାନୀ ୨୭ କୋଟି ନୂଆ ସେୟାର ଜାରି କରିବ। ଏହି IPOରେ ବର୍ତ୍ତମାନର ନିବେଶକମାନେ ସେୟାର ବିକ୍ରି କରିବେ ନାହିଁ। IPOରୁ ମିଳୁଥିବା ଅର୍ଥରେ ଜିଓ ତାହାର ପ୍ରାୟ ୨୭,୫୦୦ କୋଟି ଟଙ୍କା ଋଣ ପରିଶୋଧ କରିବା ସହ ଅନ୍ୟାନ୍ୟ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ। Meta ଓ Google ପରି ବିଶ୍ୱସ୍ତରୀୟ କମ୍ପାନୀମାନେ ପୂର୍ବରୁ ଜିଓରେ ନିବେଶ କରିସାରିଛନ୍ତି।
ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହାକୁ କମ୍ପାନୀ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆକାଶ, ଈଶା ଓ ଅନନ୍ତ ଅମ୍ବାନୀ ଜିଓ IPO ପ୍ରକ୍ରିୟାର ନେତୃତ୍ୱ ନେଉଛନ୍ତି। ଜିଓର ଷ୍ଟକ୍ ମାର୍କେଟ୍ ଲିଷ୍ଟିଂ ବିଶ୍ୱକୁ ଦେଖାଇବ ଯେ ଭାରତ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀ ଗଢ଼ିବାର କ୍ଷମତା ରଖେ।

